ଅବନ୍ତିପୋରାରେ ଏନକାଉଣ୍ଟର; ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ

1 min read

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୁଲଓ୍ୱାମା ଜିଲ୍ଲାର ଅବନ୍ତିପୋରାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ । ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛି ସେନା । ଏହି ଏନକାଉଣ୍ଟରରେ ଜଣେ ଜୈଶ-ଇ-ମହମ୍ମଦର ଆତଙ୍କବାଦୀର ମୃତ୍ୟୁ ହୋଇଛି ବୋଲି କହିଛନ୍ତି କାଶ୍ମୀର ଆଇଜି ବିଜୟ କୁମାର ।

ସୂଚନା ଅନୁସାରେ ଅବନ୍ତିପୋରାର ବାରାଗାମ ଅଞ୍ଚଳରେ ଜଣେ ଆତଙ୍କବାଦୀ ଲୁଚି ଥିବାର ଜାଣିବାକୁ ପାଇଥିଲେ ସୁରକ୍ଷା ବାହିନୀ । ଏହାପରେ ସେଠାରେ ସେନା ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ । ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀ ଜଣଙ୍କ ସେନା ଉପରକୁ ଗୁଳି ମାଡ କରିଥିଲା । ଯାହାର ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଜବାବ ଦେଇଥିଲେ । ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା ।

ଆଇଜି ବିଜୟ କୁମାରଙ୍କ ସୂଚନା ଅନୁସାରେ ଯେଉଁ ଆତଙ୍କବାଦୀର ମୃତ୍ୟୁ ହୋଇଛି ସେ ହେଉଛନ୍ତି ସମୀର ଅହମ୍ମଦ । ତାଙ୍କ ବୟସ ୧୭ରୁ ୧୮ ବର୍ଷ ହେବ ବୋଲି କହିଛନ୍ତି ଆଇଜି ବିଜୟ କୁମାର । ପୋଲିସ ସୂଚନା ଅନୁସାରେ ସମୀର ଅହମ୍ମଦଙ୍କ ଘର ବାରାଗାମ ଅଞ୍ଚଳରେ । ନଭେମ୍ବର ୭ରେ ସମୀର ଆତଙ୍କବାଦ ସଂଗଠନ ଜୈଶ-ଇ-ମହମ୍ମଦ ଯୋଗ ଦେଇଥିଲେ । ସମୀର ସି-କାଟାଗୋରୀର ଆତଙ୍କବାଦୀ ଥିଲା ବୋଲି କହିଛନ୍ତି ବିଜୟ କୁମାର ।

 

 

Leave a Reply