୩ବର୍ଷ ବୟସରେ ପୁଅକୁ ହୋଇଥିଲା କ୍ୟାନସର ; ଭାଙ୍ଗିପଡିଥିଲେ ଇମ୍ରାନ

ନନ୍ଦିଘୋଷ ବ୍ୟୁରୋ: ପ୍ରସିଦ୍ଧ ବଲିଉଡ ଅଭିନେତା ଇମ୍ରାନ ହାସମୀ ତାଙ୍କର ଆଗାମୀ ଫିଲ୍ମ ‘ଗ୍ରାଉଣ୍ଡ ଜିରୋ’ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ପ୍ରମୋଶନ ମଧ୍ୟରେ  ଅଭିନେତା ତାଙ୍କ ଜୀବନର ସବୁଠାରୁ ଖରାପ ପିରିୟଡ ବିଷୟରେ ପ୍ରକାଶ କରିଛନ୍ତି । ଅଭିନେତା କହିଛନ୍ତି ଯେ ଯେତେବେଳେ ତାଙ୍କ ପୁଅ ଆୟାନଙ୍କୁ ତିନି ବର୍ଷ ବୟସରେ କର୍କଟ ହୋଇଥିଲା ସେତେବେଳେ ଆଖିପିଛୁଳାକେ ତାଙ୍କ ଜୀବନରେ ହଠାତ୍ ସବୁକିଛି ବଦଳି ଯାଇଥିଲା। ଅଭିନେତା ନିକଟରେ ଏକ ସାକ୍ଷାତକାରରେ ତାଙ୍କ ପୁଅର କର୍କଟ ରୋଗ ବିଷୟରେ ଖୋଲାଖୋଲି ଭାବରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଜୀବନରେ ପାଞ୍ଚ ବର୍ଷ ପାଇଁ ଅନ୍ଧାର ଘୋଟି ଆସିଥିଲା। ସବୁକିଛି ବଦଳିଯାଇଥିଲା ।

ରଣବୀର ଆଲ୍ଲାହାବାଦିଆଙ୍କ ପଡକାଷ୍ଟରେ ଇମ୍ରାନ ହାସମୀଙ୍କୁ ତାଙ୍କ ଜୀବନର ସବୁଠାରୁ ଖରାପ ସମୟ ବିଷୟରେ ପଚରାଯାଇଥିଲା, ସେତେବେଳେ ଇମ୍ରାନ କହିଥିଲେ, “ମୁଁ ଭାବୁଛି ଯେତେବେଳେ ମୋ ପୁଅ ୨୦୧୪ରେ ଅସୁସ୍ଥ ହୋଇଯାଇଥିଲା, ତାହା ମୋ ଜୀବନର ସବୁଠାରୁ ଖରାପ ସମୟ ଥିଲା। ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ ଯେ ସେହି ସମୟ ମୋ ପାଇଁ କିପରି ଥିଲା। କେବଳ ସେହି ସମୟରେ ନୁହେଁ, ଏହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ମୁଁ ସେହି ଖରାପ ସମୟରୁ ବହୁତ କିଛି ଶିକ୍ଷାଲାଭ କରିଥିଲି ।

୧୨ ଘଣ୍ଟା ମଧ୍ୟରେ ଦୁନିଆ ଓଲଟପାଲଟ ହୋଇଗଲା

ଇମ୍ରାନ କହିଥିଲେ ଯେ ୨୦୧୪ ମସିହାରେ ଯେତେବେଳେ ମୋ ପୁଅ ଅସୁସ୍ଥ ହୋଇଗଲା, ତାହା ଏକ ବଡ଼ ଆଘାତ ଥିଲା ମୋ ପାଇଁ । ଆମେ ଏଥିପାଇଁ କେବେ ପ୍ରସ୍ତୁତ ନ ଥିଲୁ। ଏହା ପରେ ତାଙ୍କୁ ପଚରାଗଲା ଯେ ସେ ତାଙ୍କ ପୁଅର କର୍କଟ ରୋଗ ବିଷୟରେ କିପରି ଜାଣିଲେ ? ଉତ୍ତରରେ ଅଭିନେତା କହିଥିଲେ, “ମୋର ଦୁନିଆ ୧୨ଘଣ୍ଟା ମଧ୍ୟରେ ଓଲଟପାଲଟ ହୋଇଗଲା। ଜାନୁଆରୀ ୧୩ତାରିଖରେ, ଆମେ ତାଜ ଲ୍ୟାଣ୍ଡସ୍ ହୋଟେଲରେ ପିଜା ଖାଉଥିଲୁ, ଯେତେବେଳେ ମୋ ପୁଅର କ୍ୟାନସରର ପ୍ରଥମ ଲକ୍ଷଣ ଡାଇନିଂ ଟେବୁଲରେ ଦେଖାଗଲା। ଏହା ପରେ, ମୋ ପୁଅର ପରିସ୍ରାରେ ରକ୍ତ ଆସିବା ଆରମ୍ଭ ହେଲା। ଆମର ଖୁସୀ ଦୁଃଖରେ ପରିଣତ ହେଇଗଲା।  ତିନି ଘଣ୍ଟା ମଧ୍ୟରେ, ଆମେ ଜଣେ ଡାକ୍ତରଙ୍କ କ୍ଲିନିକ୍ରେ ଥିଲୁ। ଡାକ୍ତର ଆମକୁ କହିଲେ ଯେ ମୋ ପୁଅକୁ କ୍ୟାନସର ହୋଇଛି । ପରଦିନ ତାର ଅସ୍ତ୍ରୋପଚାର କରିବାକୁ ପଡିବ। ତା’ପରେ କେମୋଥେରାପି କରାଯିବ।”

୫ବର୍ଷ ପରେ ମୋ ପୁଅ ସୁସ୍ଥ ହେଲା

ଇମ୍ରାନ ୨୦୦୬ ମସିହାରେ ପରୱିନ ସାହାନୀଙ୍କୁ ବିବାହ କରିଥିଲେ। ୨୦୧୦ ମସିହାରେ ଦୁହିଁଙ୍କ ପୁଅ ଆୟାନ ହୋଇଥିଲା। ଅୟାନଙ୍କୁ ଯେତେବେଳେ ୩ ବର୍ଷ ୧୦ ମାସ ହୋଇଥିଲା ସେତେବେଳେ ତାଙ୍କୁ କର୍କଟ ରୋଗ ହୋଇଥିବାର ଜାଣିବାକୁ ପାଇଥିଲୁ । ଇମ୍ରାନ କହିଥିଲେ ଯେ ୨୦୧୯ ମସିହାରେ ଆୟନ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ। ବର୍ତ୍ତମାନ ଆୟନଙ୍କୁ ୧୪ ବର୍ଷ ।