spot_img

Latest Posts

ଓଡ଼ିଶାର ସାମଗ୍ରିକ ବିକାଶ ଲାଗି ମହିଳାଙ୍କୁ ସମୃଦ୍ଧ କରିବାକୁ ଆହ୍ୱାନ

ଓଡ଼ିଶାର ସାମଗ୍ରିକ ବିକାଶ ଲାଗି ମହିଳାଙ୍କୁ ସମୃଦ୍ଧ କରିବାକୁ ଆହ୍ୱାନ

ନନ୍ଦିଘୋଷ ବ୍ୟୁରୋ: ମହିଳାମାନଙ୍କ ସମୃଦ୍ଧିର କଥା କୁହାଯାଉଥିଲେ ମଧ୍ୟ ଓଡ଼ିଶାରେ ସେ କଥା ଏବେ ଦେଖିବାକୁ ମିଳୁନି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଧିକ ମହିଳାଙ୍କ ଉପରେ ପଡୁଛି । ଯାହାର ସମାଧାନ ନକଲେ ବିକଶିତ ଓଡ଼ିଶା ସମ୍ଭବ ନୁହେଁ । ଏମିତି ମତ ପ୍ରକାଶ ପାଇଛି ଓଡିଶା ବିକାଶ ସମ୍ମିଳନୀରେ ।

ପରିବାରର ବରିଷ୍ଠ ମହିଳା ହୁଅନ୍ତୁ କିମ୍ବା ସ୍କୁଲ ପଢୁଆ ଝିଅ ସମସ୍ତେ ଜଳବାୟୁ ପରିବର୍ତ୍ତନର ଶିକାର । ବନ୍ୟା, ବାତ୍ୟା ଓ ମରୁଡି ଭଳି ସ୍ଥିତି ଯୋଗୁଁ ଓଡ଼ିଶାରେ ଡ୍ରପ ଆଉଟ ସଂଖ୍ୟା ବଢୁଥିବା କୁହାଯାଇଛି । ଜଳବାୟୁ ପରିବର୍ତ୍ତନ କାରଣରୁ ବହୁ ମହିଳା ରୋଜଗାର ହରାଉଛନ୍ତି । ମହିଳାଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇବା ସହ ଅପପୁଷ୍ଟିଜନିତ ମୃତ୍ୟୁ ମଧ୍ୟ ବଢୁଛି । ତେଣୁ ଏଭଳି ଅନେକ ସମସ୍ୟା ସହ ଯୁଝି ହେଉଛନ୍ତି ମହିଳା । ତେଣୁ ରାଜ୍ୟକୁ ଅର୍ଥନୈତିକ କ୍ଷେତ୍ରରେ ସମୃଦ୍ଧ କରିବାକୁ ହେଲେ ମହିଳାମାନଙ୍କୁ ଏଭଳି ସ୍ଥିତିରୁ ଉଦ୍ଧାର କରିବାକୁ ପଡିବ ବୋଲି ଓଡିଶା ବିକାଶ ସମ୍ମିଳନୀରେ ଯୋଗ ଦେଇ ବିଶେଷଜ୍ଞ ମତ ରଖିଛନ୍ତି । ସାମାଜିକ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ଥିବା ବାଧା ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆହୁରି ବଢ଼ି ଯାଉଛି । ତେଣୁ ସେ ସବୁରୁ ମହିଳାଙ୍କୁ ସୁରକ୍ଷା ଦେଇ ଆଗକୁ ବଢିବାକୁ ପଡିବ ।

୨୦୫୦ ସୁଦ୍ଧା ଅଧିକ ସଂଖ୍ୟାରେ ମହିଳା ଏବଂ ଝିଅମାନେ ଦାରିଦ୍ୟତାର ଶିକାର ହେବା ସହ ଅଧିକ ସଂଖ୍ୟାରେ ମୃତ୍ୟୁବରଣ କରିବେ ବୋଲି କୁହାଯାଇଛି । ଓଡ଼ିଶାରେ ଦାରିଦ୍ୟତା ବଢୁଛି । ଯାହାର କାରଣ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୋଲି ମଧ୍ୟ କୁହାଯାଇଛି । ଦକ୍ଷିଣ ଓଡିଶାରେ ବାରମ୍ବାର ବାତ୍ୟା ହେଉଛି । ଯାହା ଫଳରେ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେଉଛି । ସେହିପରି ପଶ୍ଚିମ ଓଡ଼ିଶାରେ ମରୁଡି ପ୍ରଭାବ ପକାଉଛି । ଓଡ଼ିଶାର ବହୁ ଲୋକ ବାହାରକୁ କାମ କରିବାକୁ ଯାଉଥିବା ବେଳେ ମହିଳା ଘରେ ରହିଯାଉଛନ୍ତି । ତେଣୁ ସେମାନଙ୍କ ପାଇଁ ବହୁତ କିଛି କାମ କରିବାକୁ ପଡିବ ବୋଲି କୁହାଯାଇଛି । ଏସବୁକୁ ଆଖି ଆଗରେ ରଖି ବିଶେଷଜ୍ଞଙ୍କ ମତ ନେଇ ଯୋଜାନା ପ୍ରସ୍ତୁତ କରିବା ସହ ସରକାରଙ୍କୁ ପ୍ରଦାନ କରାଯିବ ।

Latest Posts

Don't Miss