ରାଜ୍ୟରେ କମୁଛି ବେକାରୀ, ବଢୁଛି ରୋଜଗାର

ଭୁବନେଶ୍ବର: ରାଜ୍ୟରେ ବଢୁଛି ରୋଜଗାର । ବେକାରୀ ହାରରେ ରେକର୍ଡ ପରିମାଣର ହ୍ରାସ । ଭିତ୍ତିଭୂମିକୁ ଫୋକସ ସହ ଖଣି କାରବାର ଏବଂ ବ୍ୟାପକ ଶିଳ୍ପାୟନ ଯୋଗୁଁ ଲୋକଙ୍କୁ ମିଳୁଛି କାମ । ବେକାରୀ ଉପରେ ଅଧ୍ୟୟନ କରୁଥିବା ସିଏମ୍ଆଇଇର ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଗତ ଏପ୍ରିଲ ୨୦୨୦ରେ ରାଜ୍ୟରେ ବେକାରୀ ହାର ୨୩.୮ପ୍ରତିଶତ ଥିଲା । ଦୁଇବର୍ଷରେ ୨୦୨୨ ଜାନୁଆରୀ ସୁଦ୍ଧା ଏହା ୧.୮କୁ ଖସିଛି । ଯଦିଓ ସାରା ଦେଶରେ ବେକାରୀ ହାର କମିଛି, ହେଲେ ଓଡ଼ିଶା ଜାତୀୟ ହାରଠାରୁ ତଳେ ରହିବା ଏବଂ ଅନ୍ୟ ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇବା ରାଜ୍ୟ ସରକାରଙ୍କ ଆନ୍ତରିକତା ଯୋଗୁଁ ସମ୍ଭବ ହୋଇଛି । ରାସ୍ତା, ଜଳସେଚନ ଓ ଭିତ୍ତିଭୂମି ଉପରେ ଗୁରୁତ୍ବ ସହ ବ୍ୟାପକ ଶିଳ୍ପାୟନ ଏବଂ ଖଣି କାରବାରରେ ବୃଦ୍ଧି ଯୋଗୁଁ ବେକାରୀ ହାର କମିଛି ।

ଜାତୀୟ ସ୍ତରର ବେକାରୀ ହାର ୬.୫୭ ପ୍ରତିଶତ ଥିବା ବେଳେ ଓଡ଼ିଶା ଆଖି ଦୃଶିଆ ଉନ୍ନତି କରିଛି । ହରିୟାଣାରେ ବେକାରୀ ହାର ସର୍ବାଧିକ ୨୩.୪ ଥିବା ବେଳେ ରାଜସ୍ଥାନରେ ଅଛି ୧୮.୯ ରହିଛି । ଦିଲ୍ଲୀରେ ୧୪.୧, ଆସାମରେ ୮.୫, ବିହାରରେ ୧୩.୩, ପଞ୍ଜାବରେ ୯, ପଶ୍ଚିମବଙ୍ଗରେ ୬.୪, ଝାଡ଼ଖଣ୍ଡରେ ୮.୯ ଏବଂ ତାମିଲନାଡ଼ୁରେ ୫.୩ ପ୍ରତିଶତ ବେକାରୀ ହାର ରହିଛି । ରାଜ୍ୟ ସରକାରଙ୍କ ଉପଯୁକ୍ତ ଆର୍ଥିକ ପରିଚାଳନା ସାଙ୍ଗକୁ ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ଦିଆଯାଇଥିବାରୁ ଲୋକ ଅଧିକ ରୋଜଗାର ପାଇଛନ୍ତି । ମନରେଗାରେ ବି ରାଜ୍ୟ ସରକାର ନିଜସ୍ବ ପୁଞ୍ଜିରୁ ଅଧିକ କର୍ମ ନିଯୁକ୍ତି ସୃଷ୍ଟି କରିଛନ୍ତି । ମହିଳା ସଶକ୍ତୀକରଣ ଉପରେ ଅଧିକ ଫୋକସ ଥିବାରୁ ଅନେକ ମହିଳାଙ୍କୁ କାମ ମିଳିଛି ।

ଜୀବନ ଓ ଜୀବିକାକୁ ସମାନ ଭାବେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ରାଜ୍ୟରେ ଅଧିକ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧିକୁ ଦର୍ଶାଉଛି ।

Leave a Reply