ଖ୍ୟାତନାମା ନାଟ୍ୟକାର ତଥା ଲୋକନୃତ୍ୟ ବିଶେଷଜ୍ଞ ମନ୍ମଥ ଶତପଥୀ ପାଇବେ ନବଗୁଞ୍ଜର ସମ୍ମାନ-୨୦୨୫
1 min read
ପ୍ରଖ୍ୟାତ ନାଟ୍ୟକାର, ନିର୍ଦ୍ଦେଶକ,ଲେଖକ ଓ ଓଡ଼ିଆ ଲୋକସଂସ୍କୃତି ବିଶେଷଜ୍ଞ ମନ୍ମଥ କୁମାର ଶତପଥୀଙ୍କୁ ୨୦୨୫ ବର୍ଷର ନବଗୁଞ୍ଜର ସମ୍ମାନ ପାଇଁ ମନୋନୀତ କରାଯାଇଛି। ଓଡ଼ିଆ ନାଟକ ଓ ଲୋକକଳା କ୍ଷେତ୍ରରେ ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ଧରି ସଫଳ ଓ ସମର୍ପିତ ସାଧନା ନିମନ୍ତେ , ‘ନବଗୁଞ୍ଜର ସଂସ୍କୃତି ମଞ୍ଚ’ ଭୁବନେଶ୍ୱର ପରିଚାଳନା ପରିଷଦ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି।
ଶ୍ରୀ ଶତପଥୀ ଛାତ୍ର ଜୀବନରୁ ନାଟକ ରଚନା, ଅଭିନୟ, ନିର୍ଦ୍ଦେଶନା ଆଦିରେ ବିଶେଷ ରୁଚି ରଖୁଥିଲେ ଏବଂ ନିଜ ଜନ୍ମଭୂମି ସାରସ୍ଵତ କ୍ଷେତ୍ର ଭଞ୍ଜନଗରରେ ‘ତରୁଣ କଳାକାର ସଂସ୍ଥା’ ଭଳି ଅଗ୍ରଣୀ ନାଟ୍ୟାନୁଷ୍ଠାନ ପ୍ରତିଷ୍ଠା କରି ସ୍ୱଳ୍ପବ୍ୟୟ ତଥା ନାରୀ ଚରିତ୍ର ବିନା ସାମାଜିକ ନାଟକ ମଞ୍ଚସ୍ଥ କରି ଏକ ଅଭିନବ ପରମ୍ପରା ଆରମ୍ଭ କରିଥିଲେ। ଶ୍ରୀ ଶତପଥୀ ଏଯାବତ୍ ୩୫ଟି ମଞ୍ଚ ନାଟକ, ୨ଟି ରେଡ଼ିଓ ନାଟକ ରଚନା କରିବା ସହ ୪ଟି ଓଡ଼ିଆ ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ଲେଖିଛନ୍ତି। ସେ ୨୦୦ରୁ ଅଧିକ ମଞ୍ଚ ନାଟକ ଓ ଲୋକନାଟ୍ୟ ନିର୍ଦ୍ଦେଶନା ଦେଇ ଓଡ଼ିଆ ମଞ୍ଚକଳା ଜଗତକୁ ରୁଦ୍ଧିମନ୍ତ କରିଛନ୍ତି।
ଦୀର୍ଘ ୨୦ ବର୍ଷର ଗବେଷଣା ପରେ ତାଙ୍କ ଲିଖିତ ଓ ନିର୍ଦ୍ଦେଶିତ ମଞ୍ଚ ନାଟକ “ମୁଁ ଚକରା କହୁଛି”, ରାଜ୍ୟସାରା ଓ ରାଜ୍ୟ ବାହାରେ ବହୁ ପ୍ରଶଂସିତ ହୋଇଆସିଛି। ତାଙ୍କରି ଏହି ପ୍ରଚେଷ୍ଟା ଫଳରେ ଆଜି ଘୁମୁସରର ଆଦିବାସୀ ବିପ୍ଳବୀ ନେତା ଚକରା ବିଷୋୟୀ, ଓଡ଼ିଶାର ଜଣେ ସର୍ବପୁରାତନ ସ୍ଵାଧୀନତା ସଂଗ୍ରାମୀ ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି ! ତାଙ୍କର ଆଉ ଗୋଟିଏ ଉଲ୍ଲେଖନୀୟ ସଫଳତା ହେଉଛି, ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ବିଶିପଡା ଗ୍ରାମର ୩ଶହ ବର୍ଷ ପୁରାତନ ଲୋକୋତ୍ସବ “ଲଙ୍କାପୋଡ଼ି ଯାତ୍ରା” ର ସଫଳ ପୁନରୁଦ୍ଧାର ଓ ଏହାର ଦସ୍ତାବିଜ୍ ନିର୍ମାଣ!
ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଐତିହ୍ୟ, ବିଶେଷକରି ଲୁପ୍ତପ୍ରାୟ ଲୋକନୃତ୍ୟ ଓ ଲୋକକଳା ଗୁଡ଼ିକର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଶ୍ରୀ ଶତପଥୀଙ୍କର ଦୀର୍ଘ ବର୍ଷର ଅକ୍ଲାନ୍ତ ଉଦ୍ୟମ ଓଡ଼ିଆ ଅସ୍ମିତା କ୍ଷେତ୍ରକୁ ତାଙ୍କର ଆଉ ଏକ ଉଲ୍ଲେଖନୀୟ ଅବଦାନ! କେନ୍ଦ୍ର ତଥା ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନରେ ଶ୍ରୀ ଶତପଥୀ ଓଡ଼ିଶାର ଲୋକନୃତ୍ୟ ଓ ମୁଖା ନୃତ୍ୟ ବିଷୟରେ ବ୍ୟାପକ ଗବେଷଣା କରିଛନ୍ତି। ଗତ ପ୍ରାୟ ସାତବର୍ଷ ଧରି ଇନ୍ଫୋସିସ ଫାଉଣ୍ଡେସନ ଓ ଭାରତୀୟ ବିଦ୍ୟାଭବନ ସହଯୋଗରେ ଶ୍ରୀ ଶତପଥୀ ଓଡ଼ିଶାର ଲୁପ୍ତପ୍ରାୟ ଲୋକକଳା ଯଥା ପାଲା,ଦାସକାଠିଆ, ଦଣ୍ଡନାଚ, ଘୋଡ଼ାନାଚ, କଣ୍ଢେଇନାଚ, ସଖିନାଚ, ଘୁମୁରା, ଧୁଡ଼ୁକି ଓ ପ୍ରହ୍ଲାଦ ନାଟକ ଆଦିର ପୁନରୁଦ୍ଧାର, ଡିଜିଟାଲ ସଂରକ୍ଷଣ, ପ୍ରସାରଣ ତଥା ଜାତୀୟ ସ୍ତରରେ ସମ୍ୟକ୍ ଉପସ୍ଥାପନ ପାଇଁ ଅଦମ୍ୟ ପ୍ରଚେଷ୍ଟା କରି ଚାଲିଛନ୍ତି। ଏଥିପାଇଁ ଗୋଟିଏ ଆଧୁନିକ ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ସେ ପ୍ରକଳ୍ପଟିଏ ହାତକୁ ନେଇଛନ୍ତି।
ଶ୍ରୀ ମନ୍ମଥ ଶତପଥୀଙ୍କ ଅନନ୍ୟ ମଞ୍ଚନାଟ୍ୟ ପ୍ରତିଭା ତଥା ଓଡ଼ିଶାର ଅନୁପମ ଲୋକକଳାର ସଂରକ୍ଷଣ ଓ ପ୍ରସାରଣ ପାଇଁ ତାଙ୍କର ଦୀର୍ଘ ସମର୍ପିତ ଉଦ୍ୟମକୁ ଦୃଷ୍ଟିରେ ରଖି ତାଙ୍କୁ ନବଗୁଞ୍ଜର ସମ୍ମାନ-୨୦୨୫ ପାଇଁ ମନୋନୀତ କରାଯାଇଛି ବୋଲି ନବଗୁଞ୍ଜର ସଂସ୍କୃତି ମଞ୍ଚର ପ୍ରତିନିଧି ଆନୁଷ୍ଠାନିକ ସୂଚନା ଦେଇଛନ୍ତି। ଆସନ୍ତା ଅକ୍ଟୋବର ୫ତାରିଖରେ ଭୁବନେଶ୍ୱରରେ ନବଗୁଞ୍ଜର ମଞ୍ଚର ବାର୍ଷିକ ଉତ୍ସବରେ ଶ୍ରୀ ଶତପଥୀଙ୍କୁ ଏହି ସମ୍ମାନ ଦିଆଯିବ। କିଛିଜଣ ଓଡ଼ିଆ ସଂସ୍କୃତି ପ୍ରେମୀ ବରିଷ୍ଠ ବ୍ୟକ୍ତି ଏକାଠି ହୋଇ ୨୦୨୦ ଅଗଷ୍ଟ ମାସରେ ଭୁବନେଶ୍ୱରରେ ଏହି ସସ୍କୃତି ମଞ୍ଚ ଗଠନ କରିଛନ୍ତି। ଓଡ଼ିଆ ସଂସ୍କୃତିର ବିଭିନ୍ନ କ୍ଷେତ୍ରରେ ପ୍ରତି ମାସରେ ବିଚାର-ବିମର୍ଶ, ଗୋଷ୍ଠୀଗତ କାର୍ଯ୍ୟକଳାପ ଓ ଆମ ଯୁବସମାଜକୁ ଓଡ଼ିଆ ସଂସ୍କୃତି ମନସ୍କ କରିବା ଏହି ମଞ୍ଚର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତ୍ୟେକ ବର୍ଷ, ଏହି ଅନୁଷ୍ଠାନ ପକ୍ଷରୁ, ଓଡ଼ିଆ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନବଗୁଞ୍ଜର ସମ୍ମାନ ଘୋଷଣା କରାଯାଉଛି।