ବିଧାତାର ନିଷ୍ଠୁର ନିୟତି, ଏମିତି ଦୁଃଖ କାହାକୁ ନମିଳୁ…

1 min read

ନନ୍ଦିଘୋଷ ବ୍ୟୁରୋ: କୋଭିଡରେ ବାପା ଚାଲିଯାଇଥିଲେ । କାଲି ଯାଇଥିଲେ ମଝିଆ ପୁଅ । ଆଉ ଆଜି ବଡ ପୁଅ ବି ଚାଲିଗଲେ । କିଛିଦିନ ତଳେ ପରିବାରଟି ହସି ଉଠୁଥିଲା । ସଂସାରଟି ବେଶ ଖୁସିରେ ଚାଲିଥିଲା । ନିଜ ନିଜ କ୍ଷେତ୍ରରେ ହାସଲ କରିଥିଲେ କୃତିତ୍ୱ । ବାପା ଦେଶର ଖ୍ୟାତି ସମ୍ପନ୍ନ ସ୍ଥପତି । ଆଉ ପୁଅମାନେ ନିଜ ନିଜ କ୍ଷେତ୍ରରେ ଯଥେଷ୍ଟ ପ୍ରତିଭାବାନ ତଥା ପ୍ରତିଷ୍ଠିତ ଥିଲେ। କିନ୍ତୁ କୋଭିଡର କଳାଛାଇ ପୁରା ପରିବାରକୁ କରି ଦେଇଛି ଛାରଖାର । ଜୀବନ ଅଛି ମାନେ ମୃତ୍ୟୁ ଅଛି । ବଞ୍ଚିଥିବା ମଣିଷ ଟି ଦିନେ ତ ଆଖି ବୁଜିବ ଏହା ନିସନ୍ଦେଃହ । କିନ୍ତୁ ଇଏ କେମିତିକା ମୃତ୍ୟୁ ଯେ ? ଏମିତି ବି କଣ ହୋଇପାରେ  ।

ଦର୍ଶକ ବନ୍ଧୁ ଏଠି ଜୀବନ ଆଶାରେ, ମରଣ ମୁହଁରେ । ମୃତ୍ୟୁ ମରୀଚିକା ନୁହେଁ,ଅବେଳାରେ ମରଣ ହିଁ ଲାଗୁଛି ଏକମାତ୍ର ସତ । ଏମିତି କେମିତି ହୋଇପାରେ ? ଗୋଟିଏ ପରିବାର ଉପରେ କେମିତି ଏତେ ବଡ ଦୁଃଖ ଏକାଥରକେ ଆସିପାରେ ! ହେଲେ ଖ୍ୟାତନାମା ସ୍ଥପତି ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କ କ୍ଷେତ୍ରରେ ଏହା ଆଉ ବିସ୍ମୟ ହୋଇ ନାହିଁ, ବରଂ ଅଙ୍ଗେ ନିଭା କଥା ହୋଇଛି। କାହିଁକି ନା ଏକ ଅଦୃଶ୍ୟ ଭୂତାଣୁ ଏହି ପରିବାରପ୍ରତି ଏତେ କଠୋର ହୋଇଛି ଯେ ତାହାକୁ ପ୍ରାୟ ପୁରୁଷ ଶୂନ୍ୟ କରିଦେଇଛି । ମାତ୍ର ୧୨ ଦିନ ଭିତରେ ବାପ- ୨ପୁଅଙ୍କୁ ଛଡାଇ ନେଇଛି । ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ପରିବାରର କାହାଣୀ କରୋନା କାଳରେ ଭାରତର ଏମିତି ଅନେକ ପରିବାରର କାହାଣୀ ଯେଉଁମାନେ ନିଜର ବୋଲି ଯାହାକୁ କହୁଥିଲେ ସେମାନେ ଆଜି ଆଉ ନାହାନ୍ତି ।

ଏପ୍ରିଳ୍ ୨୨ ତାରିଖ, ଗୁରୁବାର କୋଭିଡ୍ ସଂକ୍ରମିତ ରଘୁନାଥ ମହାପାତ୍ର ଅସୁସ୍ଥତା ଅନୁଭବ କରିବାରୁ ଭୁବନେଶ୍ବରସ୍ଥ଄ତ ଅଖ଄ଳ ଭାରତ ଆୟୁର୍ବିଜ୍ଞାନ କେନ୍ଦ୍ରରେ ଭର୍ତ୍ତି ହୁଅନ୍ତି। ପରେ ଜଣାପଡ଼େ ତାଙ୍କ ପରିବାରର ସମସ୍ତେ କୋଭିଡ୍ ଆକ୍ରାନ୍ତ। ଏଥିରେ ତାଙ୍କୁ ପତ୍ନୀ ରଜନୀ ମହାପାତ୍ର ଓ ଏକମାତ୍ର ନାତି ସ୍ନିତେଶ୍ ବି ସାମିଲ୍ ଥିଲେ। ଜଣକ ପରେ ଜଣେ ହସ୍ପିଟାଲ୍ରେ ଭର୍ତ୍ତି ହୋଇ ଫେରି ଆସୁଥାଆନ୍ତି କିନ୍ତୁ ରଘୁନାଥ କି ତାଙ୍କର ଦୁଇ ପୁଅ ଯଶୋବନ୍ତ ଓରଫ ମୁନା ଓ ପ୍ରଶାନ୍ତ ଓରଫ କୁନାଙ୍କ ଅବସ୍ଥା ଜଟିଳ ହେବାକୁ ଲାଗିଥାଏ।
ବିଧିର ବିଧାନ ବୋଧ ହୁଏ ନିର୍ଘର୍ଣ୍ଟ ହୋଇସାରିଥିଲା । ଆଉ ସେଦିନ ବିଧାତା ଅନ୍ତିମ ଘଣ୍ଟି ବଜାଇ ମୃତ୍ୟୁ ରୂପ ନେଇ ଠିଆ ହୁଏ ରଘୁନାଥଙ୍କ ପାଖରେ। ହସ୍ପିଟାଲ୍ର ଉନ୍ନତ ଜ୍ଞାନ କୌଶଳ ଓ ଯନ୍ତ୍ରପାତି ଭିତରେ ଦୀର୍ଘ ୧୮ ଦିନ ହେଲା ଚିକିତ୍ସିତ ରଘୁନାଥ ମହାପାତ୍ରଙ୍କ ଦେହନ୍ତ ହୁଏ ।

ଏହା ମେ’ ମାସ ୯ ତାରିଖର ଘଟଣା। ହଠାତ ଏଭଳି ଖବର ରାଜ୍ୟବାସୀଙ୍କୁ ଦୋହଲାଇ ଦେଇଥିଲା । କେବଳ ରାଜ୍ୟ ନୁହେଁ ତାଙ୍କ ପ୍ରତିଭାକୁ ଚିହ୍ନିଥିବା ବିଶ୍ୱର ପ୍ରତିଟି ମଣିଷ ଭାଙ୍ଗି ପଡିଥିଲେ । ଗୋଟେପଟେ ବାପାଙ୍କ ମୃତ୍ୟୁ, ଆଉ ଅନ୍ୟପଟେ କାଳ ରୂପୀ କୋଭିଡ ଦୁଇ ପୁଅଙ୍କୁ ସୁସ୍ଥ ହୋଇ ଘରକୁ ଫେରିବାକୁ ଅନୁମତି ଦେଉନଥାଏ ।
ବାପାଙ୍କ ମୃତ୍ୟୁର ଠିକ ଏଗାରଦିନ ପରେ ମଝିଆ ପୁଅ ତଥା ପୂର୍ବତନ ରଣଜୀ ଖେଳାଳୀ ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତ ଘଟେ । ଏମ୍ସରେ ଚିକିତ୍ସିତ ହେଉଥିବା ପ୍ରଶାନ୍ତ ୪୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରନ୍ତି । ଏହା ସେଦିନ ଗଣମାଧ୍ୟମକୁ ସ୍ତମ୍ଭୀଭୂତ କରିଥିଲା। କିନ୍ତୁ ମହାପାତ୍ର ପରିବାରର ଦୁଃଖ ଏତିକିରେ ସରିବାର ନଥିଲା । ଏଥର ମୃତ୍ୟୁର ଘଣ୍ଟି ନେଇ ସମୟ ହାଜର ହୋଇଥିଲା ବଡ଼ପୁଅ ଯଶୋବନ୍ତଙ୍କ ଆଗରେ।

ସମ୍ କୋଭିଡ ହସ୍ପିଟାଲରେ ଚିକିତ୍ସିତ ଥିବା ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ରଙ୍କ ମଧ୍ୟ ମୃତ୍ୟୁ ଘଟେ । ବାପାଙ୍କ ଏଗାରରେ ମଝିଆ ପୁଅ ଏବଂ ବାରଦିନରେ ବଡ ପୁଅଙ୍କୁ ଛଡ଼ାଇ ନେଲା କୋଭିଡ । କାଳର ଗତି ବିଚିତ୍ର, କେତେବେଳେ କିଏ କାଳର କାଳଫାଶରେ ପଡିବ ତାହା ଜାଣିବା ମୁସ୍କିଲ । କ’ଣ ହେବ କୋଣାର୍କର ଅପରୂପ ସୌନ୍ଦର୍ଯ୍ୟକୁ ଆଉଥରେ ପଥର ଉପରେ ଫୁଟାଇବା ପ୍ରତିଶୃତିର? ପୁଣି କିଛିଦିନ ତଳେ ବିକମ୍ ସାରି ଜେଜେଙ୍କ ସହ ପଥର ମୁହଁରେ ଜୀବନ ଫୁଟାଇବାକୁ ତାଲିମ ନେବା ଆରମ୍ଭ କରିଥିବା ସ୍ନିତେଶ୍ ବି ଏବେ କାହା ହାତ ଧରି ଆଗକୁ ଚାଲିବେ? ତଥାପି ମନ ବୁଝେନା । ମନରୁ ଦୀର୍ଘ ନିଶ୍ୱାସଟିଏ ଆସେ । ଆଉ ପଚାରେ .. ଏମିତି କାହିଁକି ? କ’ଣ ପାଇଁ ?

Leave a Reply