ସନ୍ଧ୍ୟାରେ ପୁଅ ଆମେରିକାରୁ ଆସିବା ପରେ ଆସନ୍ତାକାଲି ହେବ ଗୀତାଙ୍କ ଶେଷକୃତ୍ୟ

1 min read

ନନ୍ଦିଘୋଷ ବ୍ୟୁରୋ: ପ୍ରଖ୍ୟାତ ଲେଖିକା ତଥା ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ରାତିରେ ଗୀତାଙ୍କ ବିୟୋଗ ହେବା ପରେ ନୂଆଦିଲ୍ଲୀ ଗସ୍ତ କରିଥିଲେ ନବୀନ । ଆଜି ସନ୍ଧ୍ୟାରେ ଗୀତାଙ୍କ ପୁଅ ଆମେରିକାରୁ ଆସିବା ପରେ ଆସନ୍ତା କାଲି ଗୀତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । ଗତକାଲି ରାତିରେ ନୂଆଦିଲ୍ଲୀସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଗୀତା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକଙ୍କ ବଡ଼ ଭଉଣୀ ଥିଲେ ଗୀତା ମେହେଟ୍ଟା । ୧୯୪୩ରେ ବିଜୁ ପଟ୍ଟନାୟକ ଓ ଜ୍ଞାନ ଦେବୀଙ୍କ କୋଳ ମଣ୍ଡନ କରିଥିଲେ ଗୀତା ।

ଗୀତା ଭାରତ ଓ ବ୍ରିଟେନରେ ଶିକ୍ଷା ଲାଭ କରିଥିଲେ । ବିଶିଷ୍ଟ ପ୍ରକାଶକ ସନି ମେହେଟ୍ଟାଙ୍କ ସହ ଗୀତାଙ୍କର ବିବାହ ହୋଇଥିଲା । ଗୀତା ମେହେଟ୍ଟାଙ୍କ ବିୟୋଗ କେବଳ ଓଡ଼ିଶା ନୁହେଁ, ସାରା ଦେଶ ଓ ବିଶ୍ବ ଲାଗି ଅପୂରଣୀୟ କ୍ଷତି । ବୃତ୍ତଚିତ୍ର ନିର୍ମାତା, ସାମ୍ବାଦିକା ଭାବେ ବି ବେଶ୍ ଖ୍ୟାତି ଅର୍ଜନ କରିଥିଲେ ଗୀତା । ନିଜର ଯଶସ୍ବୀ ସାଧନା, ଅଙ୍ଗୀକାର, ଲେଖକୀୟ ମହାନୁଭବତାକୁ ପାଥେୟ କରି ସେ ସମୃଦ୍ଧ କରିଥିଲେ ସାହିତ୍ୟ ଭଣ୍ଡାର । ନିଜ ଗରିମା ବଳରେ ସେ ସୃଷ୍ଟି କରିଥିଲେ ନିଜର ସ୍ବତନ୍ତ୍ର ପରିଚୟ ।

ପ୍ରଖ୍ୟାତ ରାଜନୈତିକ ପରିବାରର ସଦସ୍ୟ ଭାବେ ନୁହେଁ, ବରଂ ନିଜର ଅପୂର୍ବ ଭାବବିନ୍ୟାସ, ସୃଜନଶୀଳତା ବଳରେ ସେ ସୃଷ୍ଟି କରିଥଲେ ଇତିହାସ । ତାଙ୍କର କେତେକ ପ୍ରଖ୍ୟାତ ପୁସ୍ତକ ହେଉଛି- କର୍ମା କୋଲା, ସ୍ନେକ ଆଣ୍ଡ ଲ୍ୟାଡର୍ସ, ଏ ରିଭର ସୂତ୍ର, ଦ ଏଟରନାଲ ଗଣେଶ ଇତ୍ୟାଦି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ୨୦୧୯ ମସିହାରେ କେନ୍ଦ୍ର ସରକାର ତାଙ୍କ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ତାହାକୁ ପ୍ରତ୍ୟାଖ୍ୟାନ କରି ସେ ଚର୍ଚ୍ଚାକୁ ଆସିଥିଲେ । ଗୀତାଙ୍କ ସ୍ବାମୀ ସନି ମେହେଟ୍ଟାଙ୍କର ଗତ ୨୦୧୯ରେ ପରଲୋକ ହୋଇଥିଲା ।

ସାହିତ୍ୟ ଜୀବନରେ ଅନେକ ଉଲ୍ଲେଖନୀୟ ପୁସ୍ତକ ରଚନା କରିବା ସହ ଗବେଷଣା କାର୍ଯ୍ୟରେ ଜୀବନ ଉତ୍ସର୍ଗ କରିଥିଲେ । ସେ ଆଦିବାସୀ କଳା ଓ ସଂସ୍କୃତିର ଥିଲେ ସ୍ବନାମଧନ୍ୟ ଗବେଷିକା ଓ ସଂଗ୍ରାହିକା । ବିଶେଷ କରି ଆଦିବାସୀମାନେ ପରିଧାନ କରୁଥିବା ଅଳଙ୍କାରକୁ ଭଲ ପାଇବା ସହ ସେମାନଙ୍କ ଅଳଙ୍କାର, ପଖାଳ କଂସା ଆଦି ସମ୍ପର୍କରେ ଜାଣିବା ଲାଗି ଉତ୍ସୁକତା ପ୍ରକାଶ କରୁଥିଲେ । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି କରିଛନ୍ତି ଶୋକ ପ୍ରକାଶ ।