ଟୁଇଟର ଛାଡ଼ିବେ ଏଲନ ମସ୍କ , ପୋଲ୍‌ରେ ମତ ମାଗିଥିଲେ

ନୂଆଦିଲ୍ଲୀ : ଟୁଇଟର ଛାଡ଼ିବେ ଏଲନ ମସ୍କ । ମାଇକ୍ରୋ ବ୍ଲଗିଂ ସାଇଟର ସିଇଓ ପଦରୁ ମସ୍କ ଇସ୍ତଫା ଦେବେ । ଟ୍ବିଟର ପୋଲ ରେଜଲ୍ଟ ଆଧାରରେ ଚିଫ୍ ଏକଜିକ୍ୟୁଟିଭ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ନିଜ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।

ଟୁଇଟର ଛାଡ଼ିବା ନେଇ ମସ୍କ ଟୁଇଟରରେ ଏକ ପୋଲ୍ କରି ୟୁଜର୍ସଙ୍କ ମତ ଲୋଡିଥିଲେ । ଏହି ପୋଲରେ ୫୭ ଦଶମିକ ୫ ପ୍ରତିଶତ ୟୁଜର୍ସ ତାଙ୍କୁ କମ୍ପାନୀର ସିଇଓ ପଦ ଛାଡ଼ିବା ସପକ୍ଷରେ ଭୋଟ ଦେଇଛନ୍ତି । ତେବେ ୟୁଜର୍ସଙ୍କ ମତ ଆଧାରରେ ସେ ସିଇଓ ପଦ ଛାଡ଼ିବେ ବୋଲି କହିଛନ୍ତି ।

ସିଇଓ ପଦ ପାଇଁ ଜଣେ ଯୋଗ୍ୟ ବ୍ୟକ୍ତି ମିଳିବା ପରେ ସେ ଇସ୍ତଫା ଦେବେ ବୋଲି କହିଛନ୍ତି । ଏହାପରେ ସେ କେବଳ ସଫ୍ଟଓ୍ବେର ଓ ସର୍ଭର ଟିମ୍ କୁ ଲିଡ୍ କରିବେ । ତେବେ ଟ୍ବିଟରର ନୂଆ ସିଇଓ ନିଯୁକ୍ତି ପାଇଁ କମ୍ପାନୀ ପକ୍ଷରୁ ପ୍ରକ୍ରିୟା ଜାରି ରହିଥିବା ନେଇ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ମାତ୍ର ଦୁଇ ମାସ ପରେ ଟୁଇଟର ସିଇଓ ଭାବେ ଦାୟିତ୍ବ ନେଇଥିଲେ ମସ୍କ ।