କର୍ମଚାରୀଙ୍କ ପାଇଁ ଅଲଗା ଏକ ସହର ପ୍ରତିଷ୍ଠା କରିବାକୁ ଏଲନ ମସ୍କଙ୍କ ପ୍ରସ୍ତୁତି

ନନ୍ଦିଘୋଷ ବ୍ୟୁରୋ: ବିଶ୍ୱର ଦ୍ୱିତୀୟ ଧନୀ ଉଦ୍ୟୋଗପତି ତଥା ଟେସଲାର ମାଲିକ ଏଲନ ମସ୍କ ନିଜର ଏକ ସହର ସ୍ଥାପନ କରିବା ନେଇ ବିଚାର କରୁଛନ୍ତି । ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ଏକ ରିପୋର୍ଟରେ ଏନେଇ ଖୁଲାସା ହୋଇଛି । ଏଲନ ମସ୍କ ଏବଂ ତାଙ୍କ କମ୍ପାନୀ ସହ ସମ୍ବନ୍ଧିତ ସଂସ୍ଥା ଏପରି ଏକ ସହର ବସାଇବା ପାଇଁ ଟେକ୍ସାସରେ ହଜାର ଏକର ଜମିର ଅଧିଗ୍ରହଣ କରୁଛନ୍ତି । ତେବେ ଏହି ସହରରେ ମସ୍କଙ୍କ କମ୍ପାନୀର କର୍ମଚାରୀମାନେ ରହିବେ ଏବଂ କାମ କରିବେ । ଅଷ୍ଟିନ ପାଖରେ ଅତିକମରେ ୩,୫୦୦ ଏକରର ଜମି କିଣାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ ଏଲନ ମସ୍କ ସ୍ନେଲବ୍ରୁକ ନାମକ ଏକ ସହର ବସାଇବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମସ୍କ ଯେଉଁଠାରେ ସହର ସ୍ଥାପନ କରିବାକୁ ଯାଉଛନ୍ତି ସେହି ଅଞ୍ଚଳ ବୋରିଂ ଏବଂ ସ୍ପେସ ଏକ୍ସର ନିର୍ମାଣଧୀନ ପ୍ଲାଣ୍ଟ ପାଖରେ ହିଁ ରହିଛି । ଏହି ସ୍ଥାନ ଟେକ୍ସାସରେ କୋଲୋରାଡୋ ନଦୀ କୂଳରେ ଅବସ୍ଥିତ । ଏଠାରେ ମସ୍କଙ୍କ କମ୍ପାନୀର କର୍ମଚାରୀ ରହିବେ ଏବଂ ପାଖରେ ହିଁ ଥିବା କମ୍ପାନୀକୁ କାର୍ଯ୍ୟ କରିବାକୁ ଯାଇପାରିବେ ।

ରିପୋର୍ଟ ମୁତାବକ ୧୦୦ କୋଠା ବନାଇବାର ପ୍ଲାନ ଥିବାବେଳେ ପୁଲ ଏବଂ ଖେଳ ମଇଦାନ ମଧ୍ୟ ରଖିବା ଉପରେ ଯୋଜନା କରାଯାଉଛି । ଏହା ପୂର୍ବରୁ ଏଲନ ମସ୍କ ଘୋଷଣା କରିଥିଲେ ଯେ ସେ ଟେସ୍ଲାର ମୁଖ୍ୟାଳୟ ଏବଂ ନିଜ ଘରକୁ କାର୍ଲିଫୋନିଆରୁ ଟେକ୍ସାସକୁ ସ୍ଥାନାନ୍ତର କରିବେ । ୨୦୨୨ରେ ଟେସ୍ଲା ଅଷ୍ଟିନରେ ଏକ ନୂଆ ଗିଗାଫ୍ୟାକ୍ଟ୍ରି ଉତ୍ପାଦନ ଖୋଲିଥିଲା, ଯେତବେଳେ କି ସ୍ପେସଏକ୍ସ ଏବଂ ବୋରିଂ କମ୍ପାନୀ ପାଖରେ ଟେକ୍ସାସରେ ମଧ୍ୟ ସୁବିଧା ଅଛି । ମସ୍କଙ୍କ ଯୋଜନା ଯେ ସେ ତାଙ୍କ କର୍ମଚାରୀମାନଙ୍କୁ ଶସ୍ତାରେ ଘର ଉପଲବ୍ଧ କରାଇବା ।