କାଙ୍ଗାଳ ହେବାରେ ଲାଗିଛନ୍ତି ଏଲନ ମସ୍କ, ସମ୍ପତ୍ତି ହ୍ରାସର ଗିନିଜ୍ ବିଶ୍ୱ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: କିଛି ଦିନ ତଳେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଭାବେ ଜଣାଯାଉଥିବା ଏଲନ ମସ୍କ ଏବେ କାଙ୍ଗାଳ ହେବାରେ ଲାଗିଛନ୍ତି । ଟେସ୍ଲା ଏବଂ ସ୍ପେଶ ଏକ୍ସର ସିଇଓ ଏଲନ ମସ୍କଙ୍କୁ ରେକର୍ଡ କ୍ଷତି ପହଞ୍ଚିଛି । ସମ୍ପତ୍ତି ହ୍ରାସ ପାଇବାର ନୂଆ ଗିନିଜ୍ ବିଶ୍ୱ ରେକର୍ଡ ମଧ୍ୟ ହୋଇଛି । ରିପୋର୍ଟ ମୁତାବିକ ନଭେମ୍ବର ୨୦୨୧ରୁ ଏପର୍ଯ୍ୟନ୍ତ ମସ୍କଙ୍କୁ ପ୍ରାୟ ୧୮୦ ବିଲିୟନ ଡଲାର (ପ୍ରାୟ ୧୪,୭୫୦ କୋଟି ଟଙ୍କା)ର କ୍ଷତି ପହଞ୍ଚିଛି । ଗିନିଜ ବିଶ୍ୱ ରେକର୍ଡ ଅନୁସାରେ, ସମ୍ପତ୍ତିର ଏହା ଏକ ଅନୁମାନିକ ସଂଖ୍ୟା ଅଟେ ।

ମସ୍କଙ୍କ ମୋଟ ହ୍ରାସ ୫୮.୬ ବିଲିୟନ ଡଲାରର ଗତ ରେକର୍ଡକୁ ଟପି ଯାଇଛି, ଯାହା ୨୦୦୦ରେ ଜାପାନୀଜ ଟେକନିକ୍ ନିବେଶକ ମାସାୟୋଶୀ ସୋନ ଦ୍ୱାରା ନିର୍ଦ୍ଧାରିତ କରାଯାଇଛି । ଫୋବର୍ସ ପତ୍ରିକା ଅନୁସାରେ ଟେସ୍ଲାର ସେୟାରର ଖରାପ ପ୍ରଦର୍ଶନ କାରଣରୁ ମସ୍କଲଙ୍କ ମୋଟ ସମ୍ପତ୍ତି ୨୦୨୧ରେ ୩୨୦ ବିଲିୟନ ଡଲାର ଶୀର୍ଷରୁ ହ୍ରାସ ପାଇ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ୧୩୮ ବିଲିୟନ ଡଲାରରେ ପହଞ୍ଚିଛି । ଏହା ବ୍ୟତୀତ ମସ୍କ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ମଧ୍ୟ ଆଉ ନାହାନ୍ତି ।

ଏବେ ମସ୍କଙ୍କ ସ୍ଥାନରେ ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଟ (ଫ୍ରାନ୍ସ) ବିଶ୍ୱର ନମ୍ବର ୱାନ୍ ଧନୀ ବ୍ୟକ୍ତି ହୋଇଯାଇଛନ୍ତି । ଅବଶ୍ୟ ମସ୍କ ଇତିହାସରେ କୌଣସି ବି ବ୍ୟକ୍ତିଙ୍କଠାରୁ ଅଧିକ ପଇସା ହରାଇଛନ୍ତି, କିନ୍ତୁ ଏବେ ବି ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ଭାବେ ସୂଚୀରେ ରହିଛନ୍ତି । ଟ୍ୱିଟରକୁ ନିଜ ଅକ୍ତିଆରକୁ ଆଣିବା ପରେ ମସ୍କ ବିବାଦରେ ରହିଆସିଛନ୍ତି । ଟ୍ୱିଟରର ମାଲିକାନା ନିଜ ପାଖରେ ରଖିବା ପାଇଁ ସେ ଅନେକ କ୍ଷତି ସହିଛନ୍ତି । ଏମିତିକି ଏବେ ଟ୍ୱିଟରକୁ ବଞ୍ଚାଇବାକୁ ଯାଇ ଟେସ୍ଲାର କିଛି ସେୟାର ବିକିବା ନେଇ ଚର୍ଚ୍ଚା ହେଉଛି ।