ଶୀଘ୍ର ଭାରତ ଆସୁଛି ଇ-ଭେଇକିଲ କମ୍ପାନୀ ‘ଟେସଲା’

ନୂଆଦିଲ୍ଲୀ: ଶୀଘ୍ର ଭାରତ ଆସୁଛି ଟେସଲା । ନିଜେ ଟେସଲା ସିଇଓ ଏଲନ ମସ୍କ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଅବସରରେ ମସ୍କ, ମୋଦିଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଟେସଲା ଭାରତ ଆସୁଥିବା ନେଇ ସେ ସୂଚନା ଦେଇଛନ୍ତି । ଏହାସହ ମୋଦିଙ୍କ ସହ ମସ୍କଙ୍କ ଭେଟ ପରେ ସେୟାର ବଜାରରୁ ଟେସଲା ପାଇଁ ଧମାକାଦାର ଖବର ଆସିଛି ।

ଚାରି ଦିନିଆ ଆମେରିକା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଧବାର ମସ୍କ ଭେଟିଥିଲେ । ଏହାପରେ ମସ୍କ କହିଥିଲେ, ମୋଦିଜୀଙ୍କ ସହ ଭେଟ ବହୁତ ଚମତ୍କାର ଥିଲା । ତାଙ୍କ ସହ ଆଲୋଚନା ଭଲ ଥିଲା । ଏହାସହ ମସ୍କ କହିଥିଲେ, ଆସନ୍ତାବର୍ଷ ଟେସଲା ଭାରତ ଆସୁଛି ।

ଏହା ପୂର୍ବରୁ ମୋଦି ୨୦୧୫ରେ କାଲିଆର୍ଣ୍ଣିଆରେ ଟେସଲା ମୋଟର୍ସ କାରଖାନା ଗସ୍ତ ବେଳେ ମସ୍କଙ୍କ ସହ ଭେଟ ହୋଇଥିଲା । ତେବେ ବୁଧବାର ଉଭୟଙ୍କ ଭେଟ ବହୁତ ଗୁରୁତ୍ବ ରଖୁଛି । କାରଣ ଏହି ସାକ୍ଷାତ ଏମିତି ସମୟରେ ହୋଇଛି, ଯେତେବେଳେ ଟେସଲା ଭାରତରେ କାରଖାନା ପାଇଁ ସ୍ଥାନ ଖୋଜୁଛି ।

ଟେସଲାର ଭାରତ ପ୍ରବେଶ ନେଇ ମସ୍କ ସଙ୍କେତ ଦେଇଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ତାଙ୍କ କଥା ସ୍ପଷ୍ଟ କରି ଦେଇଛନ୍ତି । ନୀତୀନ ଗଡ଼କାରୀ କହିଛନ୍ତି, ‘ଟେସଲା ଯଦି ଭାରତ ଆସିବାକୁ ଚାହୁଁଛି, ଏଠାରେ ଇଲେଟ୍ରିକ୍ ଗାଡ଼ି ବନାଇବାକୁ ପଡ଼ିବ । ଚୀନରେ ନିର୍ମିତ ଗାଡ଼ି ଭାରତୀୟ ବଜାରରେ ବିକ୍ରି କରିବା ଅନୁଚିତ ।’

ମସ୍କଙ୍କୁ ୧୦ ବିଲିୟନର ବମ୍ଫର ଲାଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ମସ୍କଙ୍କୁ ଜବରଦସ୍ତ ଲାଭ ଦେଇଛି । ସେୟାର ବଜାରରେ ଟେସଲାର ଗ୍ରାଫ୍ ହଠାତ ଉପର ମୁହାଁ ହୋଇଯାଇଛି । ଏହାସହ ମସ୍କଙ୍କୁ ୧୦ ବିଲିୟନ ଡଲାରର ଲାଭ ହୋଇଛି ।