ଆସନ୍ତାବର୍ଷ ଆମେରିକାରେ ଗୃହଯୁଦ୍ଧ, ଏଲନ ମସ୍କ ହେବେ ରାଷ୍ଟ୍ରପତି

ଓ୍ୱାଶିଂଟନ: ଆସନ୍ତାବର୍ଷ ଆମେରିକାରେ ଗୃହଯୁଦ୍ଧ । ଏଲନ ମସ୍କ ହେବେ ରାଷ୍ଟ୍ରପତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ଘନିଷ୍ଠ ସହଯୋଗୀ ତଥା ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେବଙ୍କ ଏହି ବୟାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆସନ୍ତାବର୍ଷ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟରେ ଯୁଦ୍ଧ ହେବ ଏବଂ ଆମେରିକାରେ ଗୃହଯୁଦ୍ଧ ସଂଗଠିତ ହେବ । ଫଳ ସ୍ୱରୂପ ଏଲନ ମସ୍କ ଆମେରିକାର ରାଷ୍ଟ୍ରପତି ହେବେ ବୋଲି କହିଛନ୍ତି ମେଦଭେଦେବ ।

ପୁଟିନଙ୍କ ନିରାପତ୍ତା ପରାମର୍ଶଦାତା ପରିଷଦର ଉପମୁଖ୍ୟ ମେଦଭେଦେବ ଗତ ୨୦୦୮ରୁ ୨୦୧୨ ଯାଏ ଥିଲେ ଋଷ ରାଷ୍ଟ୍ରପତି । ବର୍ତ୍ତମାନ ପୁଟିନଙ୍କ ସବୁଠାରୁ ପାଖଲୋକ ତଥା କ୍ଷମତାଶାଳୀ ବ୍ୟକ୍ତିତ୍ୱ ରହିଛନ୍ତି ମେଦଭେଦେବ । ମେଦଭେଦେବଙ୍କ ବୟାନ ପରେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ଟେସଲା ଓ ଟ୍ବିଟର ମାଲିକ ମସ୍କ । ଦେଶର ସାମରିକ ଶିଳ୍ପ ବିଭାଗ ବର୍ତ୍ତମାନ ମେଦଭେଦେବଙ୍କ ହାତରେ ରହିଛି । ସେହିପରି ୟୁରୋପୀୟ ୟୁନିଅନରେ ବ୍ରିଟେନ ପୁନର୍ବାର ଯୋଗ ଦେବ ଏବଂ ଏହା ପରେ ପରେ ୟୁନିଅନ ଭାଙ୍ଗିଯିବ ବୋଲି କଳନା କରିଛନ୍ତି ମେଦଭେଦେବ ।