ଲୁଧିଆନା ଗ୍ୟାସ ଲିକ: ବିଷାକ୍ତ ଗ୍ୟାସ ନେଇଗଲା ୩ ପରିବାରର ୧୧ ଜଣଙ୍କ ଜୀବନ

1 min read

ଲୁଧିଆନା: ଲୁଧିଆନାରେ ବିଷାକ୍ତ ଗ୍ୟାସ ନେଇ ଗଲା ୧୧ ଜଣଙ୍କ ଜୀବନ । ଏମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଶିଶୁ, ୫ ମହିଳା ଓ ୪ ପୁରୁଷ । ଏମାନେ ୩ଟି ପରିବାରର ଲୋକ ବୋଲି ଜଣାପଡିଛି । ସ୍ଥାନୀୟ ସୁଆ ରୋଡରେ ଥିବା ଏକ କମ୍ପାନୀରୁ ମିଥେନ ଗ୍ୟାସ ଲିକ୍ ଯୋଗୁଁ ଏହି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପିଛି । ଆଇପିସି ଧାରା ୩୦୪ ଆଧାରରେ ମାମଲା ରୁଜୁ କରିଛି ପୋଲିସ । ଏବେ ବି ଘଟଣାସ୍ଥଳରେ ୫୦ ଜଣିଆ ଏନଡିଆରଏଫ ଟିମ୍ ରହିଛନ୍ତି ।

କମ୍ପାନୀରୁ ମିଥେନ ଗ୍ୟାସ ଲିକ୍ ଯୋଗୁଁ ନ୍ୟୁରୋ ଟକ୍ସିନ ନାମକ ବିଷାକ୍ତ ପଦାର୍ଥ ଲୋକଙ୍କ ଶରୀରରେ ପ୍ରବେଶ କରିଥିଲା । ଫଳରେ ବ୍ରେନ ଡେଡ୍‌ ହୋଇ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାଛଡ଼ା ଗୁରୁତର ଅବସ୍ଥାରେ ୧୧ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । କମ୍ପାନୀଠାରୁ ୫୦ ମିଟର ଦୂର ପରିଧି ମଧ୍ୟରେ ପୂରା ଅଞ୍ଚଳରୁ ସିଲ କରାଯାଇଛି । NDRF ଟିମ୍ ବିଷାକ୍ତ ଗ୍ୟାସର ନମୁନା ସଂଗ୍ରହ କରି ଯାଞ୍ଚ ପାଇଁ ପଠାଇଛି । ଏହାସହ ମେଡିକାଲ ଟିମ୍ ମୃତ ବ୍ୟକ୍ତିଙ୍କ ରକ୍ତ ନମୁନା ସଂଗ୍ରହ କରିଛି ।

ସକାଳ ପ୍ରାୟ ସାଢ଼େ ୭ଟା ବେଳେ ହଠାତ୍ ଗ୍ୟାସ ଦୁର୍ଗନ୍ଧ ଚାରିଆଡେ ଖେଳିଯାଇଥିଲା । ଫଳରେ ଆଖପାଖ ଅଞ୍ଚଳରେ ଲୋକମାନଙ୍କ ଶରୀର ନୀଳ ପଡ଼ିବା ସହ କେତେଜଣ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ ବୋଲି ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ସମ୍ପୂର୍ଣ୍ଣ ଭାବେ ଗ୍ୟାସ୍ ଦୁର୍ଗନ୍ଧ ନଯିବା ଯାଏଁ ଲୋକମାନେ ଘରକୁ ନଯିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ସେପଟେ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଓ ଗୁରୁତରଙ୍କ ପରିବାର ପିଛା ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ପଞ୍ଜାବ ସରକାର ।