ମାତିଛନ୍ତି ହାତୀ, ମଞ୍ଚାରେ କଟୁଛି ଲୋକଙ୍କ ରାତି
1 min readଉଦଳା: ଶିମିଳିପାଳ ପାଦଦେଶରେ ଥିବା ଗାଁରେ ଲୋକଙ୍କ ନିଦ ହଜାଇଛନ୍ତି ହାତୀ । କରୁଛନ୍ତି ଫସଲ ନଷ୍ଟ । ଗରିବ ଲୋକେ ନିଜର ଫସଲ ରକ୍ଷା ପାଇଁ କରୁଛନ୍ତି ସଂଘର୍ଷ । ଦିନରାତି ହାତୀ-ମଣିଷ ମଧ୍ୟରେ ଚାଲିଛି ଛକାପଞ୍ଝା । ସ୍ଥିତି ଏମିତି ହୋଇଛି ଯେ, ନିଜ ଫସଲକୁ ବଞ୍ଚାଇବାକୁ ଘର ଛାଡି ମଞ୍ଚାରେ ରାତି ବିତାଉଛନ୍ତି ଲୋକେ ।
ଶିମିଳିପାଳ ପାଦଦେଶରେ ଥିବା ପୋଡାଡିହା ରେଞ୍ଜ ନଛିପୁର ଗାଁରେ ଏମିତି ସ୍ଥିତି । ମଞ୍ଚା ଉପରେ ରାତି କାଟୁଛନ୍ତି ଲୋକେ । ରାତିରେ ବିଲ ମଧ୍ଯରେ ଜଳୁଛି ନିଆଁ । ସମସ୍ତେ ହାତରେ ଟର୍ଚ୍ଚ ଧରି ଦୌଡୁଛନ୍ତି ବିଲ ଭିତରକୁ । କାହିଁକି ନା ଚାଷୀଙ୍କୁ ଘାରିଛି ହାତୀ ଭୟ । ଟିକେ ଅବହେଳା କଲେ ରାତିକ ମଧ୍ଯରେ ଧାନ ଫସଲକୁ ନଷ୍ଟ କରି ଦେଉଛନ୍ତି ହାତୀପଲ । ଏଠାକାର ଲୋକଙ୍କ ପାଇଁ ଏବେ ହାତୀ ମୁହଁରୁ ନିଜ ଫସଲ ବଞ୍ଚାଇବା କାଠିକର ପାଠ ହୋଇଯାଇଛି । ଗାଁର ଏକର ଏକର ଚାଷ ଜମି ଏବେ ହାତୀଙ୍କ ପାଦ ତଳେ ନଷ୍ଟ ହେଉଛି । ଫଳରେ ସନ୍ଧ୍ୟା ହେଲେ ଘରୁ ହାତରେ ଟର୍ଚ୍ଚ, ରାତି ପାଇଁ ଖାଦ୍ୟ, ଚାଦର ଧରିକି ବୃଦ୍ଧା କି ଯୁବକ ସମସ୍ତେ ଯାଇ ପହଞ୍ଚୁଛନ୍ତି ଚାଷ ଜମି ପାଖରେ । ବିଲ ପାଖରେ ନିଆଁ ଲଗାଇ ଦେଇ ଚାଷୀ ଉଠି ଯାଉଛନ୍ତି ଗଛ ଉପରେ ତିଆରି କରିଥିବା ମଞ୍ଚା ଉପରକୁ । ରାତି ତମାମ ସେହି ମଞ୍ଚାରେ ଉପରେ ଶୋଇ ହାତୀ ଆସିଲେ ଘଉଡାଛନ୍ତି ।
ଦିନେ କି ଦୁଇ ଦିନ ନୁହେଁ, ଧାନ ଫସଲ ଆରମ୍ଭ ହେଲା ଦିନରୁ ଅର୍ଥାତ ୩ ମାସ ହେବ ପ୍ରତିଦିନ ଗ୍ରାମବାସୀ ଓ ଚାଷୀମାନେ ଏଭଳି ହଇରାଣ ହେଉଛନ୍ତି । ଦିନରେ ପେଟ ପୋଷିବା ପାଇଁ ସଂଘର୍ଷ ଆଉ ରାତି ହେଲେ ଫସଲ ବଞ୍ଚାଇବାକୁ ଆଖିର ନିଦ ହଜାଇବାକୁ ପଡୁଛି । ହେଲେ ବନ ବିଭାଗ ହାତୀ ଘଉଡାଇବା ପାଇଁ କୌଣସି ସାହାଯ୍ୟ କରୁ ନଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି ।
ଗ୍ରାମବାସୀ ରାତି ରାତି ଉଜାଗର ରହି ହାତୀଙ୍କ ସହ ମୁହାଁମୁହିଁ ହେଉଥିଲେ ବି ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଭଅିଯୋଗ ହେଉଛି । ବନ ବିଭାଗର ନିଷ୍କ୍ରିୟତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।