ବାସନ ମାଜୁଥିବା ବେଳେ ବୃଦ୍ଧାଙ୍କୁ ହାତୀ ଆକ୍ରମଣ,ଧାନ ବିଲରେ ଚାଷୀଙ୍କୁ ଗୋଡାଇ ଗୋଡାଇ କଚିଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ ବଣାଇରେ ଥମୁନି ଦୁଇ ଦନ୍ତାଙ୍କ ଉତ୍ପାତ। ଆଜି ପୁଣି ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଦୀର୍ଘ ଦିନ ହେଲା ବନଖଣ୍ଡ ର ବିଭିନ୍ନ ବନାଞ୍ଚଳରେ ହାତୀ ଉପଦ୍ରବର ଚିତ୍ର ଦେଖାଯାଉଥିବା ବେଳେ ବଣାଇଁ ସହର କୁ ମଧ୍ୟ ଗତ ଦୁଇଦିନ ତଳେ ଦୁଇଟି ଦନ୍ତାହାତୀ ପ୍ରବେଶ କରି ଆତଙ୍କ ଖେଳାଇଛନ୍ତି। ଗତକାଲି ଦରେଇକଲା ନିକଟରେ ଜଗିଂ କରୁଥିବା ବେଳେ ହାତୀ ଆକ୍ରମଣରେ ଗୁରୁତର ହୋଇ ଜଣେ ଯୁବତୀ ରାଉରକେଲା ମେଡିକାଲରେ ଚିକିତ୍ସାଧିନ ଅଛନ୍ତି।

ଆଜି ସକାଳୁ ବୃଦ୍ଧା ବୁଦୁନି କୁଅଁର ଘର ଆଗରେ ବାସନ ମାଜୁ ଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ବୁଦୁନିଙ୍କୁ ପ୍ରଥମେ ବଣାଇ ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ରାଉରକେଲା ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଏହି ହାତୀଦୁଇଟି କୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ହେଁ କୌଣସି ସୁଫଳ ମିଳିପାରିନାହିଁ। ଲୋକଙ୍କୁ ସଚେତନ କରାଇବାକୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଉଛି।

ସେପଟେ ଦନ୍ତା ଆକ୍ରମଣରେ ଚାଷୀ ଗୁରୁତର ହୋଇ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆହତ ଚାଷୀର ନାମ ହେଉଛି ଛବି ଜେନା। ଖୋର୍ଦ୍ଧା ମଳିପଡାର ଛବି ଜେନା ଗତରାତିରେ ନିଜ ଚାଷ ଜମିରେ ଧାନ ଫସଲ ଜଗିଥିବା ବେଳେ ଗୋଡିପଡା ଟୋଲଗେଟ ନିକଟରେ ହାତୀ ଆକ୍ରମଣର ସମୁଖୀନ ହୋଇଥିଲେ। ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ଚାଲିଛି। ବର୍ତ୍ତମାନ ପାଚିଲା ଧାନ ଖାଇବାକୁ ହାତୀ ପଲ ଚାଷ କ୍ଷେତରେ ପହଂଚି ଧନ ଜୀବନ ନଷ୍ଟ କରୁଛନ୍ତି। ବନ ବିଭାଗ ତରଫରୁ ବ୍ୟାପକ ପେଟ୍ରୋଲିଂର ଆବଶ୍ୟକତା ରହିଛି।

Leave a Reply