୮ଟି ରେଞ୍ଜରେ ହାତୀ ଆତଙ୍କ, ବନ ବିଭାଗ ଅଧିକାରୀ କହୁଛନ୍ତି ମଣିଷଙ୍କ କିଛି କ୍ଷତି ହୋଇ ନାହିଁ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡର ୮ଟି ରେଞ୍ଜରେ ବଢିଛି ହାତୀ ଆତଙ୍କ । ୪୦୦ରୁ ଅଧିକ ହାତୀ ଆତଙ୍କ ଖେଳାଇଥିବା ବେଳେ ଭୟରେ ରାତି ସାରା ଉଜାଗର ରହୁଛନ୍ତି ନିମିଧା ଗ୍ରାମବାସୀ । ସନ୍ଧ୍ୟା ହେଲେ ଗାଁରେ ପଡିଯାଉଛି ତାଟି କବାଟ । ଭୟରେ ଜୀବନ ବିତାଉଛନ୍ତି ଲୋକ । ହାତୀ ଘଉଡେଇବା ପାଇଁ ହୋଇଛି ଦାବି । ଢେଙ୍କାନାଳ ଜିଲ୍ଲାରେ ଗଜରାଜଙ୍କ ଆତଙ୍କ କିଛି ନୂଆ କଥା ନୁହେଁ । ହେଲେ ମେରାମୁଣ୍ଡୁଳି ସେକ୍ସନ ନିମିଧା ଗାଁରେ ଦେଖିବାକୁ ମିଳିଛି କିଛି ଭିନ୍ନ ଚିତ୍ର । ଆଉ ହାତୀପଲଙ୍କ ମଧ୍ୟରେ ଘେରାବନ୍ଦୀ ହୋଇ ରହିଛନ୍ତି ଗ୍ରାମବାସୀ । ରାତି ତ ଦୂରର କଥା ଦିନରେ ଯାତାୟତ କରିବାକୁ ଭୟ କରୁଛନ୍ତି ଲୋକେ ।

ନିମିଧ ଗ୍ରାମରେ ହାତୀ ଆତଙ୍କ ଏଭଳି ହୋଇଛି, ଯେ ଅନେକ ସମୟରେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି । ଖାଲି ଏତିକି ନୁହେଁ ଗାଁ ଭିତରେ ହାତୀପଲ କେଉଁଠି ଦୋକାନ ଭାଙ୍ଗୁଛନ୍ତି ତ କେଉଁଠି ସ୍କୁଲ ଘର ଭାଙ୍ଗି ଚାଉଳ ବସ୍ତା ଟେକିନେଇଯାଉଥିବା ଅଭିଯୋଗ ହେଉଛି । ଆଉ ହାତୀଙ୍କ ଭୟରେ ଗ୍ରାମବାସୀ ଚାଷବାସ ଛାଡି ଦେଉଥିବା ଦେଖାଯାଇଛି । ସେପଟେ ହାତୀ ଘଉଡେଇବା ପାଇଁ ବନକର୍ମଚାରୀ ଉଦ୍ୟମ ଚଳାଇଥିବା ବେଳେ ହାତୀ ଯୋଗୁଁ ଗ୍ରାମବାସୀଙ୍କର କୌଣସି କ୍ଷତି ହେଉନଥିବା କହିଛନ୍ତି ଢେଙ୍କାନାଳ ଡିଏଫ୍‌ଓ ।

ତେବେ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ସହ କିପରି ହାତୀପଲଙ୍କୁ ଗାଁ ଠାରୁ ଦୂରରେ ରଖାଯାଇପାରିବ, ସେନେଇ ବନବିଭାଗ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।

Leave a Reply