ନୀଳଗିରି, କରଞ୍ଜିଆ ଓ ଟାଙ୍ଗୀ ଅଞ୍ଚଳରେ ହାତୀ ଉତ୍ପାତ: ବିଲରେ ନ ମିଳିଲେ ଘରେ ପଶି ଖାଉଛନ୍ତି ଧାନ

ନୀଳଗିରି/କରଞ୍ଜିଆ/ଟାଙ୍ଗୀ: ବାତ୍ୟା ‘ଜଓ୍ୱାଦ’ ଜନିତ କ୍ଷୟକ୍ଷତିରୁ ଚାଷୀ ଅଣ୍ଟା ସଳଖି ନଥିବା ବେଳେ ଏବେ ଝାଡ଼ଖଣ୍ଡି ହାତୀ ଚାଷୀଙ୍କ ଚିନ୍ତା ବଢ଼ାଇଛନ୍ତି ।  ମୟୂରଭଞ୍ଜ ଜିଲ୍ଲାର ଦେଉଳିରେଞ୍ଜ ନଡପୁର ଜଙ୍ଗଲରୁ ହାତୀ ପଲ ନୀଳଗିରି ଗୋପାଳପୁର ସଂରକ୍ଷିତ ବୁଦୁସାହି ଜଙ୍ଗଲରେ ପଶିଥିଲେ । ଝାଡଖଣ୍ଡି ହାତୀ ପଲକୁ ନେଇ ଭୟ ବଢିବାରେ ଲାଗିଛି । ଏହାକୁ ନେଇ ଅଞ୍ଚଳବାସୀ ଭୟରେ ରହିବା ସହ ଧାନ ଅମଳ କ୍ଷୟକ୍ଷତି ହେବାର ସମ୍ଭାବନା ଥିବାରୁ ହାତୀକୁ ଜଗି ରହିଛନ୍ତି । ହାତୀର ଗତିପଥ ଉପରେ ନଜର ରଖିଛି ବନ ବିଭାଗ ।

ଅନ୍ୟପକ୍ଷରେ ଟାଙ୍ଗୀ ରେଞ୍ଜ ଭଜାଗଡରେ ମଧ୍ୟ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ବଡ଼ ପୋଖରିଆ କାଶୀପୁର ରାଉଳହଜ ଗାଁ ନିକଟ ଜଙ୍ଗଲରେ ପଶିଛନ୍ତି ହାତୀ ପଲ । ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ଜଙ୍ଗଲ ଭିତରକୁ ଲୋକଙ୍କୁ ନଯିବା ପାଇଁ ବାରଣ କରିଛି ବନବିଭାଗ । ବନ ବିଭାଗ ପକ୍ଷରୁ ମାଇକ୍ ଜରିଆରେ ପ୍ରଚାର କରି ଲୋକଙ୍କୁ ସଚେତନ କରାଯାଉଛି । ଜଙ୍ଗଲରେ ହାତୀ ଥିବା ଜାଣିବା ପରେ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ ।

କରଞ୍ଜିଆ ଉପଖଣ୍ଡରେ ମଧ୍ୟ ଥମୁନି ହାତୀ ଉପଦ୍ରବ । ୨୬ ଟିକିଆ ହାତୀ ପଲ ପୁଣି କିଛି ଦିନର ବ୍ୟବଧାନ ପରେ କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି । ବିଲବାଡିରେ ଫସଲ ନଥିବାରୁ ଘର ଭାଙ୍ଗି ସାଇତା ଧାନ ଚାଉଳ ଖାଇବା ସହିତ ନଷ୍ଟ ମଧ୍ୟ କରୁଛନ୍ତି । ସୋମବାର ରାତିରେ ହାତୀ ପଲ ଚାରୋଟି ଘର ଭାଙ୍ଗିଥିବା ସୂଚନା ମିଳିଛି । ଗତ ରାତିରେ ଘାଗରବେଡା ସେକ୍ସନ ନଇଭଙ୍ଗା ଗାଁରେ ୩ଟି ଘର ଭାଙ୍ଗିଛନ୍ତି । ହାତୀ ପଲ ଘର ଭାଙ୍ଗିବା ଫଳରେ କାନ୍ଥ ପଡି ଗୋଟିଏ ଦାମୀ କାର ଭାଙ୍ଗି ଯାଇଛି ଏବଂ ଗୋଟିଏ ଛେଳି ମଧ୍ୟ ମରିଥିବା ଖବର ମିଳିଛି । ହାତୀ ପଲ ଏବେ ନୂଆଗାଁ ନିକଟରେ ଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: କରୋନା ଟିକା ନେଇ ଯାଇଥିବା ଆଶା ଓ ଅଙ୍ଗନବାଡି ଦିଦିଙ୍କୁ ଅଟକ ରଖିଲେ ଗ୍ରାମବାସୀ

Leave a Reply