ହାତୀ କଙ୍କାଳ ମିଳିବା ଘଟଣାରେ ନିଲମ୍ବିତ ହେବା ସହିତ ଗରିଫ ହେଲେ ଆଉ ଜଣେ ଗାର୍ଡ

ଭୁବନେଶ୍ୱର: ବଡ଼ମ୍ବା ନରସିଂହପୁରରୁ ହାତୀ କଙ୍କାଳ ମିଳିବା ଘଟଣା । ତୃତୀୟ ଥର ପାଇଁ ବନ ବିଭାଗର କାର୍ଯ୍ୟନୁଷ୍ଠାନ । ନିଲମ୍ବିତ ହେବା ସହିତ ଗରିଫ ହେଲେ ଆଉ ଜଣେ ଗାର୍ଡ । ବଡ଼ମ୍ବା ରେଞ୍ଜର ଫରେଷ୍ଟ ଗାର୍ଡ ପ୍ରଭାତ କୁମାର ପ୍ରଧାନ ନିଲମ୍ୱିତ ହେବା ସହିତ ଗରିଫ ହୋଇଥିବା ବେଳେ ଦୁଇ ଜଣ ୱାଚରଙ୍କୁ ମଧ୍ୟ ଗରିଫ କରିଛି ବନବିଭାଗ । ବଡମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ଠାବ କରିଥିଲା ଏସଟିଏଫ୍ । ପୁର୍ବରୁ ଏହି ଘଟଣାରେ ୬ ଜଣକୁ ଗରିଫ କରି କୋର୍ଟଚାଲାଣ କରିଥିଲା ବନ ବିଭାଗ । ସେମାନଙ୍କ ଭିତରେ ବନ ବିଭାଗର କର୍ମଚାରୀ ମଧ୍ୟ ଥିଲେ ।

ସୂଚନା ଅନୁସାରେ, ଆଠଗଡ଼ ବନଖଣ୍ଡ ଏବେ ହାତୀମୃତ୍ୟୁର ଉପତ୍ୟକା ପାଲଟିଛି । ୪ମାସରେ ୪ଟି ହାତୀ କଙ୍କାଳ ବଡ଼ମ୍ବା ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲ ଓ ନରସିଂହପୁର ୱେଷ୍ଟ ରେଞ୍ଜରୁ ବାହାରିବା ତଥା ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଯାହାକୁ ନେଇ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଇଛି। ଏହି କମିଟି ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ। ଅନ୍ୟପଟେ ବଡ଼ମ୍ବା ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ପାଦଦେଶରୁ ୩ଟି ହାତୀର ଗଳିତ ମୃତଦେହ ଓ କଙ୍କାଳ ବାହାରିବା ପରେ ଏହି ଘଟଣାରେ ବନବିଭାଗ ନିଜ ପକ୍ଷରୁ ମାମଲା ରୁଜୁ କରିଥିଲା। ଘଟଣାରେ ଜମି ମାଲିକଙ୍କ ସମେତ ୮ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ଫରେଷ୍ଟ ଗାର୍ଡ, ୩ଜଣ ହାତୀ ଜଗୁଆଳୀ, ଜମି ମାଲିକ ଓ ଜଣେ ଗ୍ରାମବାସୀ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି।