କେରଳ ମଲାପୁରମ ତିରୁରରେ ଅଘଟଣ : ହାତୀ ଆକ୍ରମଣ ଓ ଦଳାଚକଟାରେ ୧୭ ଆହତ

ନନ୍ଦିଘୋଷ ବ୍ୟୁରୋ : ଉତ୍ସବ ବେଳେ ମାତିଲା ହାତୀ । ଉତ୍ସବ ଅବସରରେ ହାତୀକୁ ସୁସଜ୍ଜିତ କରି ଲୋକେ ଏହାର ମଜା ନେଉଥିବାବେଳେ ଉତ୍ୟକ୍ତ ହାତୀ ଆକ୍ରମଣରେ ୧୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ଯରୁ ଜଣେ ଅତି ଗୁରୁତର ହୋଇଛନ୍ତି। କେରଳ ମଲାପୁରମରେ ଘଟିଛି ଘଟଣା। ତିରୁରରେ ଆୟୋଜିତ ହେଉଥିଲା ପୁଥିୟାଙ୍ଗାଦି ଉତ୍ସବ। ସେଥିରେ ସାମିଲ ହୋଇଥିଲେ ସହସ୍ରାଧିକ ଲୋକ। ଏଥିରେ ୫ଟି ହାତୀଙ୍କୁ ସୁନାରେ ସାଜସଜ୍ଜା କରାଯାଇଥିଲା।
କେତେକ ଲୋକ ହାତୀକୁ ନେଇ ଭିଡିଓ ସୁଟ୍ କରୁଥିଲେ। ମାତ୍ର ହଠାତ ସେମାନଙ୍କ ମଧ୍ଯରୁ ଗୋଟିଏ ହାତୀ ହଠାତ୍ ହିଂସ୍ର ହୋଇ ଉଠିଥିଲା। ପରେ ଲୋକଙ୍କ ଉପରକୁ ମାଡିଯାଇଥିଲା। ସେହି ହାତୀର ନାମ ଥିଲା ପକ୍କାଥୁ ଶ୍ରୀକୁଟ୍ଟନ। ହାତୀଟି ଜଣେ ଲୋକଙ୍କୁ ଶୂନ୍ଯକୁ ଉଠାଇ କଚାଡି ଦେଇଥିଲା। ଆହତଙ୍କୁ ସ୍ଥାନୀୟ କୋଟାକ୍କାଲସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କିତ ଲୋକ ଏଣେତେଣେ ଦୌଡିବାରୁ କିଛି ଲୋକ ଦଳାଚକଟାରେ ଆହତ ହୋଇଥିଲେ। ପ୍ରାୟ ୨ ଘଣ୍ଟା ପରେ ଉନ୍ମତ୍ତ ହାତୀକୁ ନିୟନ୍ତ୍ରଣକୁ ଅଣାଯାଇଥିଲା।