ଘର ଅଗଣାରୁ ଟାଣି ନେଇ ମାରି ଦେଲା ହାତୀ, ବନ କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ

ବଣାଇ: ବଣାଇ ଜକୈକଳା ଗାଁରେ ହାତୀ ଆତଙ୍କ । ଘର ଅଗଣା ଝାଡୁ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଟାଣି ନେଇ ମାରି ଦେଲା ହାତୀ । ମୃତକ ହେଲେ ଧରଣୀ ପାତ୍ର । ଆଜି ସକାଳୁ ଏହି ଅଘଟଣ ଘଟିଛି । ଧରଣୀ ଝାଡୁ କରୁଥିବା ବେଳେ ହାତୀ ତାଙ୍କୁ ଟାଣି ନେଇ କଚାଡି ଦେଇଥିଲା । ପରିବାର ଲୋକେ ଚିତ୍କାର କରିବାକରୁ ପାଖ ପଡ଼ୋଶୀ ଧାଇଁ ଆସିଥିଲେ । ଫଳରେ ହାତୀଟି ଘଟଣା ସ୍ଥଳରୁ ପଳାଇ ଥିଲା । ଗୁରୁତର ଅବସ୍ଥାରେ ଧରଣୀଙ୍କୁ ମେଡିକାଲ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅଞ୍ଚଳରେ ଏମିତି ଘଟଣା ବାରମ୍ବାର ଘଟିବା ସହ ଧନଜୀବନ କ୍ଷୟକ୍ଷତି ହେଉଛି । ଏଥିପାଇଁ ବନ ବିଭାଗକୁ ଅଞ୍ଚଳବାସୀ ଦାୟୀ କରିଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ବନ ବିଭାଗର ପାରା କର୍ମଚାରୀ ତପନ କୁମାର ନାଏକଙ୍କୁ ମାରପିଟ କରିଛନ୍ତି । ଏପରିକି ଉତ୍ତ୍ୟକ୍ତ ଲୋକେ ବନଖଣ୍ଡ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ।
୩ଟି ଘର ଭାଙ୍ଗିଲା ଗୋଠ ଛଡ଼ା ହାତୀ
ସେହିପରି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କୋଦଗାଡିଆ ଓ ମିରିଗିସିଙ୍ଗା ଗ୍ରାମରେ ହାତୀ ଆତଙ୍କ । ୩ଟି ଘର ଭାଙ୍ଗିଲା ଗୋଠଛଡା ଦନ୍ତାହାତୀ । କୋଦଗାଡିଆ ଗାଁର ବସନ୍ତ ନାଏକ ଏବଂ ଉଦୟ ନାଏକଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଯାଇଛି ଦନ୍ତା । ସେପଟେ ମିରିଗିସିଙ୍ଗା ଗାଁର ସୁନା ରାମ ମୁଣ୍ଡାଙ୍କ ଘର ଭାଙ୍ଗିଛି ଗୋଠ ଛଡ଼ା ଦନ୍ତା । ଆଜି ସକାଳ ପାଖାପାଖି ୫ଟାରେ ଉତ୍ପାତ ଜାରି ରଖିଥିବା ଗୋଠ ଛଡ଼ା ଦନ୍ତା ମିରିଗିସିଙ୍ଗା ଜଙ୍ଗଲ ପଟୁ ବାହାରି ପ୍ରଥମେ ମିରିଗିସିଙ୍ଗା ଗାଁର ସୁନା ରାମଙ୍କ ଘର ଭାଙ୍ଗିଥିବା ବେଳେ କୋଦଗାଡିଆ ଗାଁର ବସନ୍ତ ନାଏକ ଏବଂ ଉଦୟ ନାଏକଙ୍କ ଘର ଭାଙ୍ଗି ମିରିଗିସିଙ୍ଗା ଜଙ୍ଗଲ ଆଡେ ଚାଲିଯାଇଛି ।