ମୟୂରଭଞ୍ଜ : ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ସ୍ଥିତ ଆଗ୍ରିଆ ରେଳ କ୍ରୋସିଂ ନିକଟରେ ଏକ ଦନ୍ତାହାତୀ ପାରି ହେଉଥିବା ବେଳେ ଟ୍ରେନ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହାତୀର ମୃତ୍ୟୁ ହୋଇଛି । ଶନିବାର ରାତି ୧୧ଟା ୩୦ମିନିଟରେ ଶାଲିମାର-ଭଞ୍ଜପୁର ଟ୍ରେନ ବାରିପଦା-ଭଞ୍ଜପୁର ଅଭିମୁଖେ ଯାଉଥିବା ସମୟରେ ଘଟିଛି ଦୁର୍ଘଟଣା। ସେପଟେ ଟ୍ରେନ ମଧ୍ୟ କିଛି ସମୟ ଅଟକିବା ପରେ ପୁଣି ଭଞ୍ଜପୁର ଅଭିମୁଖେ ଯାଇ ଦୁଇ ଘଣ୍ଟା ବିଳମ୍ବରେ ପହଞ୍ଚିଛି ।
ବେତନଟୀ ବନାଞ୍ଚଳରେ ହାତୀ ମାନେ ବିଭିନ୍ନ ସମୟରେ ଜନବସତି, ରାଜପଥ, ସଡକପଥ ଓ ରେଳପଥ ଉପରେ ଯାତାୟତ କରୁଥିଵା ବେଳେ ବନବିଭାଗ ଦୃଷ୍ଟି ଦେଉନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । କିଛି ସମୟ ପାଇଁ ଚାପାଉତ୍ତେଜନା ସୃଷ୍ଟି ହୋଇଥିଲା । ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ଟିମ ପହଞ୍ଚିବା ପରେ ହାତୀର ଶବ ବ୍ୟବଚ୍ଛେଦ କରାଯାଇ ରିଜର୍ଭ ଜଙ୍ଗଲ ଭିତରେ ପୋତା ଯିବ ବୋଲି ଏସିଏଫ ସେକ ମେହେରବାନ ଅଲ୍ଲୀ କହିଛନ୍ତି ।

