ହାତୀପଲଙ୍କ ଗୁଣ୍ଡାଗିରି: ୧୨ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଉତ୍ପାତ

କରଞ୍ଜିଆ /ସୁବର୍ଣ୍ଣପୁର: କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । ଦେଢ଼ ମାସ ହେଲା ୨୨ ଟିକିଆ ଝାରଖଣ୍ଡି ହାତୀପଲ କରଞ୍ଜିଆ ବନଖଣ୍ଡରେ ଉପଦ୍ରବ ଜାରି ରଖିଛନ୍ତି । ଦିନ ବେଳେ ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ସଞ୍ଜ ହେଲେ ଜନ ବସତି ମୁହାଁ ହେଉଛନ୍ତି ଏବଂ ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଦେଢ଼ ମାସ ହେଲାଣି ବନ ବିଭାଗ ହାତୀ ପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ ବି ହାତୀ ପଲଙ୍କୁ ଘଉଡ଼ାଇ ପାରିନାହାନ୍ତି ।  କରଞ୍ଜିଆ ବନଖଣ୍ଡରେ ରହଣି ଭିତରେ ଗୋଟାଏ ହାତୀ ଛୁଆ ମଧ୍ୟ ଜନ୍ମ ହୋଇଛି ଏବଂ ସଂଖ୍ୟା ବୃଦ୍ଧି ପାଇ ୨୩ ରେ ପହଁଚିଛି । ହାତୀ ଆତଙ୍କରେ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ  । ଗତ ୧୨ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି ୪୦ଟିକିଆ ହାତୀ ପଲ  । ଗତ ରାତିରେ ବିନିକା ଝରାପଡା ଗାଁରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ଅଞ୍ଚଳରେ ଫସଲ ନଷ୍ଟ କରିଛନ୍ତି  । ଏହା ସହିତ ସିନ୍ଦୁରପୁର, ଗୁଲାପଡା, ଗଣେଷପୁର, କେଉଟପଡା ଓ ମଣିଗାଁ ଆଦି ଗାଁରେ ଧାନ ସହ ପନିପରିବା ଚାଷ ଦଳିଚକଟି ନଷ୍ଟ କରିଦେଇଛନ୍ତି ହାତୀପଲ । ଫସଲ ଅମଳ ସମୟରେ ହାତୀଙ୍କ ଉପଦ୍ରବ ଚାଷୀଙ୍କୁ ଚିନ୍ତାରେ ପକାଇଛି  । ଗତ ୧୨ ଦିନ ହେଲା ଉଲୁଣ୍ଡା ରେଞ୍ଜ ଅଂଚଳରୁ ୪୦ଟି ହାତୀ ମହାନଦୀ ଡେଇଁ ଆସି ବିନିକା ବନାଞ୍ଚଳରେ ଉପଦ୍ରବ କରୁଛନ୍ତି  । ବନବିଭାଗ ଓ ସ୍ଥାନୀୟ ଲୋକଙ୍କ ବାରମ୍ବାର ଉଦ୍ୟମ ପରେ ମଧ୍ୟ ହାତୀଙ୍କୁ ଘଉଡାଇବାରେ ସଫଳତା ମିଳିପାରୁନାହିଁ  । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଲାଗିରହିବା ସହିତ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି  ।

Leave a Reply