ସନ୍ଧ୍ୟା ହେଲେ ଗାଁ ଛାଡ଼ନ୍ତି, ଗଛ ଉପରେ ଆଶ୍ରୟ ନେଉଛନ୍ତି ଲୋକେ

ଢେଙ୍କାନାଳ: ସଦର ରେଞ୍ଜ ଗୋବିନ୍ଦପୁର ଗ୍ରାମରେ ବଢୁଛି ହାତୀ ଭୟ । ରାତି ହେଲେ ଜଙ୍ଗଲରୁ ହାତୀ ପଲ୍ଲ ଗାଁ ମୁହାଁ ହେଉଛନ୍ତି । ଘରଦ୍ୱାର ଭାଙ୍ଗିବା ସହ ଜମିରେ ପଶି ନଷ୍ଟ କରୁଛନ୍ତି ଫସଲ । ସଂଧ୍ୟାହେଲେ ଭୟରେ ଗାଁର ତାଟିକବାଟ ପଡ଼ି ଯାଉଥିବାବେଳେ ଅନେକ ଘର ଛାଡି ବିଲରେ ଥିବା ଗଛ ଉପରେ ମଞ୍ଚା କରି ରାତି ବିତାଉଛନ୍ତି ।

ରାତି ବଢ଼ିଲେ ବଢୁଛି ଆତଙ୍କ । ଘନ ଅନ୍ଧକାରରେ ଶୁଭୁଛି ହାତୀର ଗର୍ଜନ । ସଂଧ୍ୟା ନଇଁଲେ ଶୂନସାନ୍ ଗାଁ ଦାଣ୍ଡ । ମଞ୍ଚାରେ ବିତୁଛି ଜୀବନ । ଏମିତି ଦୃଶ୍ୟ ଦେଖିବାକୁ ଗୋବିନ୍ଦପୁର ଗ୍ରାମରେ । ଢେଙ୍କାନାଳ ଠାରୁ ୭ କିଲୋମିଟର ଦୂରରେ ଥିବା ଏହି ଗାଁରେ ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ସୂର୍ଯ୍ୟ ବୁଡିବା ପରେ ଗାଁ ମୁହାଁ ହେଉଛନ୍ତି ହାତୀ ପଲ । ଘରଦ୍ୱାର ଭାଙ୍ଗିବା ସହ ଧାନ ଚାଉଳ ଖାଇ ଯାଉଛନ୍ତି । ଏହି ହାତୀଙ୍କ ଉପଦ୍ରବ ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି ଚାଷୀକୂଳ ।

ବିଲରେ ପଶି ଫସଲ ଖାଇବା ସହ ଏହାକୁ ପାଦରେ ଦଳି ନଷ୍ଟ କରୁଛନ୍ତି ହାତୀପଲ । ଘରୁ ଲୋକଙ୍କୁ ଟାଣି ଆଣି କଚାଡି ମାରୁଛି । ତେଣୁ ଭୟରେ ଲୋକେ ଗଛ ଉପରେ ମଞ୍ଚା ବାନ୍ଧି ରାତି ବିତାଉଛନ୍ତି । କିଛି ଯୁବକ ୟୁଟ୍ୟୁବ ଦେଖି ତିଆରି କରିଥିବା ବିଶାଳ ଶବ୍ଦ କରୁଥିବା ପ୍ଲାଷ୍ଟିକ୍ ଗନରେ ହାତୀଙ୍କୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି । ସେପଟେ ହାତୀ ଉପଦ୍ରବ ଘଟଣାକୁ ସ୍ୱୀକାର କରିଛି ବନ ବିଭାଗ । ହାତୀଙ୍କୁ ଘଉଡାଇବାକୁ ଚେଷ୍ଟା କରାଯାଉଥିବା ଡିଏଫଓ ସୂଚନା ଦେଇଛନ୍ତି ।

Leave a Reply