ଗୋଠ ଛଡ଼ା ଦନ୍ତାର ଉତ୍ପାତ, ଗାଁ ଭିତରେ ପଶି ଭାଙ୍ଗିଲା ଏକାଧିକ ଘର

କେନ୍ଦୁଝର: କେନ୍ଦୁଝର ସହରରେ ଗୋଠ ଛଡ଼ା ଦନ୍ତାର ଉତ୍ପାତ। ୧ ନମ୍ବର ୱାର୍ଡ଼ ସୁଲେଇଖମାରରେ ୨ଟି ଘର ଭାଙ୍ଗିବା ସହିତ ରାତିରେ ହୁଡ଼କୋ କଲୋନୀ ଦେଇ ଭଟ୍ଟସାହି ସ୍କୁଲ ରାସ୍ତାରେ ଆସି ବଳଦେବଜୀଉ ମନ୍ଦିର ସମ୍ମୁଖରେ ପହଞ୍ଚିଲା ହାତୀ। ୪ ନମ୍ବର ୱାର୍ଡ଼ ଡାଙ୍କୁଣିଆ ସାହିରେ ପଶି ଗୋଟିଏ ଘରର ପାଚେରୀ ଭାଙ୍ଗିଥିଲା । ପୁରୁଣା ସହରରେ ଦନ୍ତାକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ପୁରୁଣା ସହର ଦେଇ ନୂଆ ସହରର କାଶୀପୁର ଅଂଚଳରେ କିଛି ଘର ଭାଙ୍ଗିବା ସହ ପରେ ସରାସ ଦେଇ ଜଙ୍ଗଲକୁ ପଲାଇଥିଲା । ପୁରୁଣା ସହରରେ ଦନ୍ତାହାତୀକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ପକ୍ଷରୁ ରାତିସାରା ଦନ୍ତା ହାତୀ ଉପରେ ନଜର ରଖିବା ସହ ଲୋକମାନେ ମଧ୍ୟ ବନ ବିଭାଗକୁ ସହଯୋଗ କରି ହାତୀକୁ ସହର ବାହାରକୁ ନେଇ ଜଙ୍ଗଲ ମୁହାଁ କରାଇଥିଲେ । ହାତୀଟି କୋଡ଼ିପସା ଜଙ୍ଗଲରେ ଥିବା ବେଳେ ଲୋକମାନେ ପୁଣି ହାତୀ ସହର ମୁହାଁ ହେବା ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ ଯୋଗୁଁ ହାତୀ ଗାଁ ଓ ସହର ମୁହାଁ ହେଉଥିବା ଆଲୋଚନା ହେଉଛି।