ରାଉରକେଲା ଟ୍ରେନ ଦୁର୍ଘଟଣା: ଛୁଆକୁ ଖୋଜିବାକୁ ଫେରିଲା ମାଆ ହାତୀ

ରାଉରକେଲା: ଛୁଆଙ୍କୁ ଖୋଜୁଛନ୍ତି ମାଆ ହାତୀ । ରାଉରକେଲା ବନ୍ଧମୁଣ୍ଡାରେ ରେଳ ଦୁର୍ଘଟଣାରେ ଗୋଟିଏ ଛୁଆ ହାତୀର ମୃତ୍ଯୁ ହୋଇଥିଲା । ଦୁଇ ଆହତ ଛୁଆଙ୍କୁ ଭୁବନେଶ୍ବର ନନ୍ଦନକାନନ ପଠାଇଛି ବନ ବିଭାଗ । ଏବେ ଛୁଆଙ୍କୁ ଖୋଜିଖୋଜି ପୁଣି ଫେରିଛନ୍ତି ହାତୀପଲ । ରେଲୱେ ଟ୍ରାକରେ ହାତୀଙ୍କୁ ଦେଖି ରାତି ୯ଟାରୁ ଭୋର ୪ଟା ଯାଏଁ ଟ୍ରେନ ଚଳାଚଳ ବନ୍ଦ କରାଯାଇଥିଲା । ହାତୀପଲ ଏବେ ନର୍ଥ ଥିରୁବେଡାରେ ଥିବାବେଳେ ଶୀଘ୍ର ସେମାନଙ୍କୁ ସୁରକ୍ଷିତ ଜଙ୍ଗଲକୁ ଘଉଡ଼ା ଯିବ ବୋଲି କହିଛି ବନ ବିଭାଗ । ସେପଟେ ହାତି ଟ୍ରାକରୁ ହଟିବା ପରେ ଟ୍ରେନ୍ ଯାତାୟାତ ସ୍ବାଭାବିକ ହୋଇଛି ।

ପଶୁ ହେଲେ ବି ମାଆର ମମତା ପୁଣି ଟାଣି ଆଣିଛି । ଛୁଆ ହାତୀଙ୍କୁ ଖୋଜି ଖୋଜି ପୁଣି ରାଉରକେଲା ଫେରିଛନ୍ତି ହାତୀପଲ। ରେଲୱେ ଟ୍ରାକରେ ଛୁଆ ଅପେକ୍ଷାରେ ୨୨ ଟିକିଆ ହାତୀପଲ । ଏପରିକି ମୃତ ହାତୀ ଛୁଆକୁ ପୋତା ଯାଇଥିବା ସ୍ଥାନକୁ ଖୋଳିବାକୁ ଚେଷ୍ଟା କରିଥିଲେ ହାତୀପଲ । ଦୀର୍ଘ ସମୟ ଧରି ଅଟକି ରହିବାକୁ ରାତି ୯ଟାରୁ ଭୋର ୪ଟା ଯାଏଁ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଥିଲା । ଫଳରେ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ପଲରୁ ୩ଟି ଛୁଆ ନିଖୋଜ ହୋଇଥିବାରୁ ହାତୀମାନେ ସେମାନଙ୍କୁ ଖୋଜୁଥିବା କହିଛି ବନ ବିଭାଗ ।

ଗତ ୧୪ ତାରିଖରେ ବନ୍ଧମୁଣ୍ଡା କେବିନ ନିକଟରେ ଟ୍ରେନ ଦୁର୍ଘଟଣାରେ ଗୋଟିଏ ଛୁଆ ହାତୀର ମୃତ୍ଯୁ ହୋଇଥିଲା । ବ୍ଯବଚ୍ଛେଦ ପରେ ତା’ ମୃତଦେହକୁ ପୋତିଥିଲା ବନ ବିଭାଗ । ଦୁଇ ଆହତ ଛୁଆ ହାତୀଙ୍କୁ ଚିକିତ୍ସା ପାଇଁ ନନ୍ଦନକାନନ ପଠାଯାଇଛି । ତେଣୁ ଛୁଆଙ୍କୁ ଖୋଜୁଛନ୍ତି ହାତୀ । ନର୍ଥ ଥିରୁବେଡ଼ାରେ ଡେରା ପକାଇଛନ୍ତି ହାତୀ । ତେବେ ରାଉରକେଲା ଡିଏଫଓଙ୍କ ନେତୃତ୍ବରେ ବନ ବିଭାଗ ହାତୀପଲଙ୍କୁ ଖୁବଶୀଘ୍ର ଘଉଡାଇବାକୁ ଉଦ୍ଯମ ଜାରି ରଖିଛନ୍ତି । ସେପଟେ ଟ୍ରାକରୁ ହାତୀ ହଟିବା ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି ।

୨୨ ଟିକିଆ ହାତିପଲଙ୍କୁ ରାତିରେ ଟ୍ରେନ ଟ୍ରାକ ପାର କରାଯାଇ କଚାରୁ ଜଙ୍ଗଲରେ ଛାଡିବା ପାଇଁ ବନ ବିଭାଗ ପକ୍ଷରୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ଡିଏଫଓ ।