କର୍ଲାପାଟ ହାତୀ ମଡକ;କାରଣ ଦର୍ଶାଅ ନୋଟିସ ଜାରି, ଲାଗିବ ୨୮ଟି ଟ୍ରାପ କ୍ୟାମେରା
କଳାହାଣ୍ଡି: କର୍ଲାପାଟରେ ୭ ହାତୀ ମଡକ ପରେ ତନାଘନା । କର୍ଲାପାଟ ଫରେଷ୍ଟର ଓ ଦୁଇ ଫରେଷ୍ଟ ଗାର୍ଡଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଅଭୟାରଣ୍ୟରେ ଲାଗିବ ୨୮ଟି ଟ୍ରାପ କ୍ୟାମେରା । ପୂର୍ବରୁ ୧୬ ଟି ଟ୍ରାପ କ୍ୟାମେରା ଲାଗିଥିବା ବେଳେ, ଆଜି ଆହୁରି ୧୨ ଟି ଟ୍ରାପ କ୍ୟାମେରା ଲାଗିବ ବୋଲି ଡିଏଫଓ ଟି ଅଶୋଷ କୁମାର ସୂଚନା ଦେଇଛନ୍ତି ।
ସେହିପରି ପ୍ରାଣୀ ସମ୍ପଦ ବିଭାଗର ୩ ଜଣ ଡାକ୍ତରଙ୍କୁ ରିପୋର୍ଟ ତଲବ ହୋଇଛି । ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ହାତୀ ମଡକ ଘଟଣା ସମ୍ବେଦନଶୀଳ ଥିବାରୁ ସମସ୍ତଙ୍କ ଛୁଟି ବାତିଲ କରାଯାଇଥିଲା । କିନ୍ତୁ ଜୁନାଗଡ଼ ବ୍ଲକ ପ୍ରାଣୀ ବିଭାଗ ଅଧକ୍ଷ ଡା ପ୍ରସନ୍ନ ଦାସ, ଅତିରିକ୍ତ ପ୍ରାଣୀ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ ଓ ଜୟପାଟଣା ଅତିରିକ୍ତ ପ୍ରାଣୀ ଅଧିକାରୀ ଡା ଶିବ ପ୍ରସାଦ ନାଏକ ଛୁଟିରେ ଥିଲେ । ଏହି ୩ ଅମାନିଆ ଡାକ୍ତରଙ୍କୁ ରିପୋର୍ଟ ତଲବ କରିବା ପାଇଁ ଧର୍ମଗଡ଼ ଏସଡିଭିଓ କୈଳାଶ ସାମନ୍ତଙ୍କୁ ରାଜ୍ୟ ଅତିରିକ୍ତ ନିର୍ଦେଶକ ଡା ପ୍ରତାପ କିଶୋର ଖମାରୀ ନିର୍ଦେଶ ଦେଇଛନ୍ତି ।
ସେପଟେ କାର୍ଯ୍ୟରେ ଅବହେଳା ନେଇ ଗତକାଲି ନିଲମ୍ବିତ ହୋଇଥିଲେ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ । ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରିଙ୍କୁ ନିଲମ୍ବିତ କରିଥିଲା ପ୍ରାଣୀ ସମ୍ପଦ ବିଭାଗ । ଗୃହପାଳିତ ପଶୁଙ୍କୁ ଟିକାକରଣରେ ଅବହେଳା ପାଇଁ ନିଲମ୍ବନ କରାଯାଇଥିଲା । ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ୩ ଜଣିଆ କେନ୍ଦ୍ରୀୟ ଟିମ୍ କର୍ଲାପାଟ ଅଭୟାରଣ୍ୟରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଅଭୟାରଣ୍ୟରେ ଗତ ୨୦ ଦିନ ମଧ୍ୟରେ ୭ଟି ହାତୀଙ୍କର ମୃତ୍ୟୁ ହେଲାଣି ।