ରାଜଧାନୀରେ ମାତିଛି ଦନ୍ତା ହାତୀ, ବ୍ୟାପକ ଫସଲ ନଷ୍ଟ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଦନ୍ତା ହାତୀ ଉପଦ୍ରବ କରିବା ସହ ବ୍ୟାପକ ଫସଲ ନଷ୍ଟ କରିଛି । ଏପରିକି ଘର ଗୁଡିକର ପାଚେରୀ ମଧ୍ୟ ଭାଙ୍ଗୁଥିବା ଖବର ମିଳିଛି ।

ଉପକଣ୍ଠରେ ଥିବା ଗାଁ ଗୁଡିକରେ ପଶିବା ସହ ଚନ୍ଦକାର ଜଙ୍ଗଲୀ ଦନ୍ତା ହାତୀ ରାମୁ ଉତ୍ପାତ ମଚାଇବାରେ ଲାଗିଛି । ତା’ର ଉପଦ୍ରବରେ ଭୟଭୀତ ହୋଇପଡିଛନ୍ତି ଗ୍ରାମବାସୀ । ସଞ୍ଜ ହେଲା ମାତ୍ରେ ରାମୁ ଗାଁ ମୁହାଁ ହେବା ସହ ଫସଲ ନଷ୍ଟ କରୁଛି। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ମାନେ ।

ସୂଚନା ଅନୁସାରେ ଭୁବନେଶ୍ୱର ଉପକଣ୍ଠ ସ୍ଥିତ ମେଣ୍ଢାଶାଳ, ଆରିସଲ, ମଦନପୁର, ପାଇକରାପୁର, ଚନ୍ଦକା, ଭରତପୁର ଆଦି ଗ୍ରାମ ଗୁଡିକରେ ଉପଦ୍ରବ ଚଳାଇଛି ଏହି ହାତୀ । ହାତୀଟିକୁ ଘଉଡାଇବା ପାଇଁ ବନ ବିଭାଗ ଚେଷ୍ଟା କରୁଥିଲେ ବି ସଫଳ ହେଉନଥିବା ଜଣାପଡିଛି ।

ଆହୁରି ମଧ୍ୟ ମଦନପୁର ଗ୍ରାମର ଜିତେନ୍ଦ୍ର ଚମ୍ପତି ନାମକ ଜଣେ ଚାଷୀଙ୍କ ଧାନ ବାଡିରେ ବିଳମ୍ବିତ ରାତିରେ ହାତୀଟି ପଶି ଅନେକ ଧାନ ଫସଲ ଖାଇବା ସହ ନଷ୍ଟ କରିଦେଇଛି । ଖବର ପାଇ ଘଟଣାସ୍ଥଳରେ ପାତ୍ରପଡା ସିଟି ଫରେଷ୍ଟ ବନବିଭାଗ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି । ତେବେ ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply