ହାତୀ ଘଉଡାଇବାକୁ ବନବିଭାଗ ଫେଲ୍‌, ଘରର ଆଜବେଷ୍ଟରେ ଶୋଉଛନ୍ତି ଲୋକେ

ସୁନ୍ଦରଗଡ଼:  ବଣାଇଁ ସହର ଆଖାପାଖ ଅଞ୍ଚଳରେ ଦିନେ କି ଦୁଇଦିନ ନୁହେଁ ପ୍ରାୟ ତିନିମାସ ହେଲାଣି ଗୋଠଛଡା ଦନ୍ତା ହାତୀ ଉପଦ୍ରବ ବୃଦ୍ଧି ପାଉଥିଲେ ହେଁ ଏହାର ପ୍ରତିକାର କ୍ଷେତ୍ରରେ ବନ ବିଭାଗ ବିଫଳ ହୋଇଛି । ହାତୀ ଘଉଡାଇବାକୁ ସାଧାରଣ ଜନତା ପ୍ରଚେଷ୍ଟା କରୁଥିଲେ ମଧ୍ୟ ହାତୀଟି ଯିବାର ନା ନେଉନାହିଁ।

ଏପଟେ ରାତି ହେଲେ ନିକଟ ଜଙ୍ଗଲରୁ ବାହାରି ବଣାଇଁ ବନାଞ୍ଚଳର ବିଭିନ୍ନ ଗାଁରେ ବୁଲି ବୁଲି ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରୁଛି ଗୋଠଛଡା ଦନ୍ତାହାତୀ  । ତେବେ ଗତକାଲି ଗୋଠଛଡା ହାତୀଟି କୋହ୍ଲ ସାହିରେ ପଶି ଶୀତଲ ମୁଣ୍ଡାଙ୍କ ପରିବାର ଘରେ ଶୋଇଥିବା ବେଳେ ଘର ଭାଙ୍ଗୁ ଥିବାରୁ ସେମାନେ ଜୀବନ ବିକଳରେ ଘରୁ ବାହାରି ଦୌଡ଼ି ପଳାଇ ଥିଲେ।

ଉକ୍ତ ସାହିର ଲୋକେ ହାତୀ ଭୟରେ ଘର ଉପରେ ଶୋଇଥିବା ଦେଖିବାକୁ ମିଳିଛି  । ଠିକ୍ ସେହି ପରି ଶୁଣ୍ଢିକୋଣ ସାହିର ଯୋଶଦା ବାରିକଙ୍କ ଘର ସମ୍ପୁର୍ଣ୍ଣ ଭାଙ୍ଗି ଚୁରମାର କରି ଦେଇଛି ହାତୀ। ସେମାନେ ମଧ୍ୟ ଜୀବନ ବିକଳରେ ଘରର ଝରକା ବାଟେ ବାହାରକୁ ଚାଲି ଆସିଥିଲେ।

ବର୍ତ୍ତମାନ ବର୍ଷା ରୁତୁ ଥିବାରୁ ଏ ସମୟରେ ହାତୀ ଘର ଭାଙ୍ଗି ଦେଇ ଥିବାରୁ ଏବେ ସେମାନେ ଅସହାୟ ଅବସ୍ଥାରେ ପଡି ରହିଛନ୍ତି ।ହାତୀ ଘଉଡାଇବାରେ ବିଫଳ ବନବିଭାଗକୁ ସତେ ଯେମିତି ଚ୍ୟାଲେଞ୍ଜ କରି ସହର ଉପକଣ୍ଠରେ ତାଣ୍ଡବ ରଚୁଥିବା ଦୃଶ୍ୟ ଗଣମାଧ୍ଯମ ରେ ପ୍ରକାଶିତ ହେଲେବି ବିଭାଗ ପାଇଁ ଫରକ ପଡ଼ୁ ନାହିଁ  । ଗତକାଲି ରାତିରେ ବହୁ ପ୍ରଚେଷ୍ଟା ପରେ ହାତୀଟି ନିକଟସ୍ଥ ଧରଣୀଧରପାଲି ଜଙ୍ଗଲରେ ରହିଛି  ।