ମୟୂରଭଞ୍ଜରେ ହାତୀ ଉପଦ୍ରବ, ଶୌଚ ପାଇଁ ଯାଇଥିବାବେଳେ ଦଳିଦେଲା ଦନ୍ତା ହାତୀ, ଜଣେ ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ହାତୀ ଉପଦ୍ରବ କମିବାରେ ନାଁ ଧରୁନି। କେଉଁଠି ହାତୀପଲ ଘରଦ୍ୱାର ଭାଙ୍ଗି ଦେଲେଣି ତା ଆଉ କେଉଁଠି ମଣିଷଙ୍କୁ ମାରି ଦେଉଛନ୍ତି। ତେବେ ଜୈନିକ ବୃଦ୍ଧାଙ୍କୁ ହାତୀ ଆକ୍ରମଣ କରିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ଘଟଣାଟି ଘଟିଛି ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଗୋଶାଣିପାଳ ଗ୍ରାମରେ।

ସୂଚନା ଅନୁସାରେ କତରା ନଦୀକୁ ବୁଧବାର ସକାଳେ ଶୌଚ ହେବାକୁ ଯାଇଥିବାବେଳେ ୬୫ ବର୍ଷୀୟ ସ୍ନେହଲତା ସେଠୀ ହାତୀ ପଲ ହାବୁଡ଼ରେ ପଡ଼ିଯାଇଥିଲେ। ଫଳରେ ଦନ୍ତା ଘଟଣା ସ୍ଥଳରେ ତାଙ୍କୁ ଦଳି ମାରି ଦେଇଥିଲେ। ଗ୍ରାମରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ହାତୀ ଉପଦ୍ରବକୁ ରୋକିବା ପାଇଁ ଉତ୍ତେଜନା ଦେଖାଦେଇଛି। ତେବେ ଘଟଣା ସ୍ଥଳରେ ବାଙ୍ଗିରିପୋଷି ରେଞ୍ଜର ଶ୍ରୀ ତପନ ଦାସ ପହଞ୍ଚି ମୃତକଙ୍କ ପରିବାରଙ୍କୁ ୪୦୦୦୦ ଟଙ୍କାର ଚେକ୍ ପ୍ରଦାନ କରିବା ସହିତ ବାକି କ୍ଷତି ପୂରଣ ଦେବାର ପ୍ରତିଶୃତି ଦେଇଛନ୍ତି।

ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିବା ଜଣାପଡିଛି। ସେପଟେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ବନବିଭାଗ କର୍ମଚାରୀ ମାନେ ଏହାକୁ ପ୍ରତିରୋଧ କରିବାରେ ବିଫଳ ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

Leave a Reply