ରାଜ୍ୟବାସୀଙ୍କ ଉପରେ ପଡ଼ିବ ଆଉ ଏକ ଚଡ଼କ; ୨୦୨୫ରୁ ବଢ଼ିବ ବିଜୁଳି ଦର !

1 min read

ଭୁବନେଶ୍ବର: ଆସନ୍ତା ଏପ୍ରିଲ ମାସରୁ ବଢିପାରେ ବିଜୁଳି ଦର । ଆସନ୍ତା ଆର୍ଥିକବର୍ଷରୁ ବିଜୁଳି ଦର ବଢାଇବାକୁ ଗ୍ରୀଡକୋ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ, ଓଇଆରସି ପାଖରେ ସୁପାରିଶ କରିଛି । ଏହାକୁ ଓଇଆରସି ଓ ରାଜ୍ୟ ସରକାର ଗ୍ରହଣ କଲେ ବିଜୁଳି ୟୁନିଟ ପିଛା ୫୪ ପଇସା ବଢିପାରେ । ଗ୍ରୀଡ଼କୋର ବିଜୁଳି ଦର ସୁପାରିଶକୁ ବେଆଇନ, ଅଯୌକ୍ତିକ ଓ ଜନ ବିରୋଧୀ କହି ଏହାକୁ ଦୃଢ଼ ବିରୋଧ କରାଯିବ ବୋଲି କହିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ । ଏହାକୁ ନେଇ ବିଜେଡି କହିଛି, ଦରବୃଦ୍ଧିରେ ସାଧାରଣ ଲୋକେ ଛଟପଟ ହେଉଥିବା ବେଳେ ବିଜୁଳି ଦର ବୃଦ୍ଧି ଖାଉଟିଙ୍କ ଉପରେ ବେଡ଼ି ଉପରେ କୋରଡ଼ା ସଦୃଶ ହେବ । ଆସନ୍ତାବର୍ଷରୁ ବିଜୁଳି ଦର ବୃଦ୍ଧି ନେଇ ଓଇଆରସି ପାଖରେ ଚାଲିଛି ଶୁଣାଣି ।

ଏପ୍ରିଲ ୨୦୨୫ରୁ ବଢିପାରେ ବିଜୁଳି ଦର । ୟୁନିଟ ପିଛା ୫୪ ପଇସା ବଢାଇବାକୁ ସୁପାରିଶ କରିଛି ଗ୍ରୀଡ଼କୋ । ବିଜୁଳି ଦର ବଢିଲେ ବ୍ୟାପକ ଆନ୍ଦୋଳନ କରିବାକୁ ଉପଭୋକ୍ତା ମହାସଂଘ ଚେତାବନୀ ଦେଇଛି । ଏମିତି ତ ଦରବୃଦ୍ଧିରେ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି।  ବିଜୁଳି ଦର ବଢିଲେ ତାହା ବେଡ଼ି ଉପରେ କୋରଡ଼ା ମାଡ଼ ହେବ ବୋଲି ବିଜେଡି ମତ ଦେଇଛି । ବିଜୁଳି ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ, ଓଇଆରସି ପାଖରେ ଆରମ୍ଭ ହୋଇଛି ଶୁଣାଣି । ଆସନ୍ତା ଆର୍ଥିକ ବର୍ଷରୁ ବିଜୁଳି ଦର ଧାର୍ଯ୍ୟ ପୂର୍ବରୁ ବିଭିନ୍ନ କମ୍ପାନୀ ଓଇଆରସିଙ୍କ ପାଖରେ ପକ୍ଷ ରଖୁଛନ୍ତି । ଗ୍ରୀଡ଼କୋର ଯୁକ୍ତି ଅନୁସାରେ ବିଜୁଳି କିଣାବିକା ଓ ଆନୁଷଙ୍ଗିକ ଖର୍ଚ୍ଚକୁ ଦେଖିଲେ ବିଜୁଳି ଦର ସ୍ଲାବ ବଢାଇବାକୁ ପଡ଼ିବ । ୨୦୨୫-୨୬ରେ ରାଜ୍ୟରେ ମୋଟ ୩୮ ହଜାର ୮୧୪ ୟୁନିଟ ବିଜୁଳି ବିକ୍ରି କରିବାକୁ ଯୋଜନା ଥିବା ବେଳେ ଏଥିପାଇଁ ୧୫ ହଜାର ୩୪୭ କୋଟି ଟଙ୍କା ଆବଶ୍ୟକ । ଗ୍ରୀଡକୋର ଏଭଳି ଯୁକ୍ତିକୁ ଦୃଢ ବିରୋଧ କରିଛି ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ।

ଦୁଇ ବର୍ଷ ହେଲା ରାଜ୍ୟରେ ବିଜୁଳି ଦର ବଢି ନାହିଁ । ହେଲେ ଏଥର ନୂଆ ସରକାରର ପ୍ରଥମ ବର୍ଷରେ ବିଜୁଳି ଦର ବଢିବା ନେଇ ଅନୁମାନ କରାଯାଉଛି । ଓଏଚପିସି, ଓପିଜିସି ଭଳି ବିଦ୍ୟୁତ ଉତ୍ପାଦନ କମ୍ପାନୀରୁ ବିଜୁଳି କିଣିବା ପରେ ଗ୍ରୀଡକୋ ବିଦ୍ୟୁତ ପରିବହନ କମ୍ପାନୀ ଓପିଟିସିଏଲ୍ ଓ ଏସଏଲଡିସି ଜରିଆରେ ଟାଟା ଭଳି ବିଦ୍ୟୁତ ବିତରଣ କମ୍ପାନୀ ପାଖରେ ପହଞ୍ଚାଇଥାଏ । ଗ୍ରୀଡକୋର ସୁପାରିଶ ପରେ ଉତ୍ପାଦନ, ପରିବହନ ଓ ବିତରଣ କରୁଥିବା କମ୍ପାନୀ ମଧ୍ୟ ସେମାନଙ୍କ ପକ୍ଷ ଓଇଆରସି ପାଖରେ ରଖିବେ । ଗ୍ରୀଡକୋର ଯୁକ୍ତିକୁ ସରକାର ଓ ଓଇଆରସି ଗ୍ରହଣ କଲେ ବିଜୁଳି ଦର ୟୁନିଟ ପିଛା ୫୦ ପଇସାରୁ ଅଧିକ ବଢିବା ନିଶ୍ଚିତ ବୋଲି କୁହାଯାଉଛି ।

ବର୍ତ୍ତମାନ ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ୧ ରୁ ୫୦ ୟୁନିଟ ପାଇଁ ୨ ଟଙ୍କା ୯୦ ପଇସା, ୫୧ ରୁ ୨୦୦ ୟୁନିଟ ପାଇଁ ୪ ଟଙ୍କା ୭୦ ପଇସା, ୨୦୦ରୁ ୪୦୦ ୟୁନିଟ ପାଇଁ ୫ ଟଙ୍କା ୭୦ ପଇସା ଓ ୪୦୦ରୁ ଅଧିକ ୟୁନିଟ ପାଇଁ ୬ ଟଙ୍କା ୧୦ ପଇସା ରହିଛି ।