spot_img

Latest Posts

ରାଜ୍ୟର ଲୋକଙ୍କ ପାଇଁ ମହଙ୍ଗା ବିଜୁଳି ଦର: ଓଡ଼ିଶାର ବିଜୁଳି ଅନ୍ୟ ରାଜ୍ୟରେ ଶସ୍ତାରେ ମିଳୁଛି

ଭୁବନେଶ୍ବର: ବଳକା ବିଦ୍ୟୁତ ରାଜ୍ୟ । ହେଲେ ରାଜ୍ୟର ଲୋକଙ୍କ ପାଇଁ ମହଙ୍ଗା ବିଜୁଳି ଦର । ଓଡ଼ିଶାର ବିଜୁଳି ଅନ୍ୟରାଜ୍ୟରେ ଶସ୍ତାରେ ମିଳୁଛି । କିନ୍ତୁ ଏଠି ରାଜ୍ୟବାସୀଙ୍କୁ ବିକ୍ରି ହେଉଛି ଚଢ଼ା ଦରରେ । ଏ ନେଇ ବିତରକ କମ୍ପାନୀ ହଜାର ହଜାର କୋଟି ଲାଭ କରୁଛନ୍ତି । ଲୋକଙ୍କ ଉପରେ ଦାଉ ସାଧିବାକୁ ବୋଝ ଉପରେ ନଳିତା ବିଡ଼ା ଲଦିଚାଲିଛନ୍ତି ସରକାର । ଲୋକେ ତ୍ରାହି ତ୍ରାହି ଡାକିଲେଣି। କେତେବେଳେ ଲୋକଙ୍କ ଘରୁ ବିଜୁଳି କାଟି ଦିଆଯାଉଛି ତ କେତେବେଳେ ଘଣ୍ଟା ଘଣ୍ଟା ଅଘୋଷିତ ବିଜୁଳି କାଟ । ଜାତୀୟ ସ୍ତରରେ ୟୁନିଟ ପିଛା ଯେତିକି ଟାରିଫ ରହିଛି ଓଡ଼ିଶାର ବିଜୁଳି ଗ୍ରାହକ ତାଠୁ ଅଧିକ ଦର ଦେଉଥିବା ଅଭିଯୋଗ ହୋଇଛି। ସେପଟେ ସ୍ମାର୍ଟ ଓ ପ୍ରିପେଡ ମିଟର ନାଁରେ ଲୋକଙ୍କ ଉପରେ ଜାରି ରହିଛି ଜୁଲମ । ଏ ନେଇ ଓଡିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ ଓ ରାଜନୈତିକ ଦଳର ପ୍ରତିନିଧିମାନେ ଓଇଆରସିଙ୍କୁ ଭେଟିବା ପରେ ବିଜୁଳି ସମସ୍ୟା ସମ୍ପର୍କିତ ଅଭିଯୋଗ, ନିଜର ମତାମତ, ପ୍ରସ୍ତାବ ଆୟୋଗଙ୍କୁ ଜଣାଇବାକୁ କୁହାଯାଇଛି। ଅଗଷ୍ଟ ୧୬ ତାରିଖ ସୁଦ୍ଧା ଏସବୁ ଅଭିଯୋଗ ଆୟୋଗଙ୍କ ପାଖରେ ପହଞ୍ଚିବ । ୨୯ ତାରିଖରେ ଏହାର ଶୁଣାଣି ହେବ । ଏହାକୁ ନେଇ ଉପଭୋକ୍ତା ମହାସଂଘ ରାଜ୍ୟବ୍ୟାପି ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି।

ରାଜ୍ୟରେ ବିଜୁଳି ସମସ୍ୟା ନେଇ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଭିନ୍ନ୍ ରାଜନୈତିକ ଦଳ । ଏବେ ରାଜ୍ୟରେ ବିଜୁଳି ଗ୍ରାହକ ନାହିଁ ନ ଥିବା ଶୋଷଣର ସମ୍ମୁଖୀନ ହେଉଛନ୍ତି। ଏପରିକି ସବୁଆଡେ ଘଣ୍ଟାଘଣ୍ଟା ବିଜୁଳି କାଟ ହେଉଛି । ମନଇଚ୍ଛା ବିଲ ଆଦାୟ ଓ ସ୍ମାର୍ଟ ମିଟର ନାଁରେ ଲୁଟକୁ ଲୋକେ ଆୟୋଗ ସମ୍ମୁଖକୁ ଆଣିବାକୁ ରାଜନୈତିକ ଦଳର ସଦସ୍ୟ ମାନେ ନିବେଦନ କରିଛନ୍ତି। ୧୩ମାସର ସରକାର ଲୋକଙ୍କ ଉପରେ ବିଜୁଳି ସେବାକୁ ନେଇ ଯେପରି ଜୁଲମ ଚାଲିଛି ତା ବିରୋଧରେ ରାଜ୍ୟବ୍ୟାପି ଆନ୍ଦୋଳନର ଚେତାବନୀ ଦିଆଯାଇଛି। ଓଡିଶା ବିଜୁଳି ବଳକା ରାଜ୍ୟ । ହେଲେ ଖୋଦ ରାଜ୍ୟବାସୀ ବିଜୁଳି ସଙ୍କଟ ମଧ୍ୟରେ ଘାଣ୍ଟି ହେଉଛନ୍ତି । ଯାହାକୁ ନେଇ ଧୀରେ ଧୀରେ ଲୋକଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧୁଛି ।

Latest Posts

Don't Miss