ଓଡିଶା ବିଜୁଳି ବଳକା ରାଜ୍ୟ, ହେଲେ ରାଜ୍ୟବାସୀ ଦେଉଛନ୍ତି ୟୁନିଟ ପିଛା ୨୪ ପଇସା ଅଧିକ
1 min read
ଭୁବନେଶ୍ୱର : ଓଡିଶା ବିଜୁଳି ବଳକା ରାଜ୍ୟ। ହେଲେ ରାଜ୍ୟବାସୀ ଦେଉଛନ୍ତି ୟୁନିଟ ପିଛା ୨୪ ପଇସା ଅଧିକ ।ଜାତୀୟ ପାୱାର ଫାଇନାନ୍ସ କର୍ପୋରେସନ ରିପୋର୍ଟ ଅନୁସାରେ ସର୍ବଭାରତୀୟ ସ୍ତରରେ ଜଣେ ଉପଭୋକ୍ତା ୟୁନିଟ ପିଛା ୫ ଟଙ୍କା ୬୪ ପଇସା ଦେଉଥିବା ବେଳେ ଓଡିଶାରେ ୫ ଟଙ୍କା ୮୮ ପଇସା ଆଦାୟ କରାଯାଇଛି। ଏନେଇ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ସରକାରଙ୍କୁ ଟାର୍ଗେଟ କରିଛି। ପଞ୍ଜାବ, ମଧ୍ୟପ୍ରଦେଶ, ବିହାର, ତେଲଙ୍ଗାନା, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟର ଉପଭୋକ୍ତା କମ ବିଜୁଳି ଶୁଳ୍କ ଦେଉଛନ୍ତି। କିନ୍ତୁ ଓଡ଼ିଶାର ଉପଭୋକ୍ତା ଅଧିକ ଟାରିଫ ଦେଉଛନ୍ତି। ଓଡ଼ିଶାର ବିଜୁଳି ଉପଭୋକ୍ତାଙ୍କୁ ଦିନରେ ଆଖିରେ ଆଙ୍ଗୁଠି ଗୁଞ୍ଜି ଲୁଟ ଚାଲିଛି। ଏପରିକି ପାୱାର କଟ ଓ ବିଜୁଳି ଶୁଳ୍କରେ ଶୋଷଣ ଏବଂ ଏଟିସି ଲସ କ୍ଷେତ୍ରରେ ମଧ୍ୟ ଜାତୀୟ ହାର ଠାରୁ ଓଡ଼ିଶା ଅଧିକ। ତେଣୁ ଉପଭୋକ୍ତାଙ୍କ ଠାରୁ ଆଦାୟ ହୋଇଥିବା ଅଧିକ ୨୪ ପଇସାକୁ ସୁଧମୂଳ ସହିତ ଫେରାଇବାକୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ନିକଟରେ ଦାବି କରିଛି ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ।
ସେପଟେ ବିଜୁଳି ନାଁ ରେ ଓଡ଼ିଶାବାସୀଙ୍କୁ ଲୁଟ କରାଯାଉଥିବା ଅଭିଯୋଗ କରିଛି ବିଜେଡି। ସରକାରକୁ ଆସିବା ବେଳେ ବିଜେପି ସରକାର କହିଥିଲା-୩୦୦ ୟୁନିଟ ମାଗଣା ବିଜୁଳି ଦେବ ବୋଲି। କିନ୍ତୁ ଏବେ ଉପଭୋକ୍ତାଙ୍କୁ ଲୁଟ କରାଯାଉଛି। ଯେଉଁ ରାଜ୍ୟ ଆମଠୁ ବିଜୁଳି ନେଉଛନ୍ତି ସେମାନଙ୍କ ଉପଭୋକ୍ତା କମ ଦେୟ ଦେଉଛନ୍ତି। ଟ୍ରାନ୍ସମିଶନ ଲସରେ ମଧ୍ୟ ସୁଧାର ଆଣାଯାଉ ନାହିଁ। । ଗରିବ ଲୋକଙ୍କ ବିଜୁଳି କଟାଯାଉଛି। ଆଦିବାସୀ ଓ ଗରିବ ସମ୍ପ୍ରଦାୟ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି କହିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ। କଂଗ୍ରେସର କହିବା କଥା ଲୋକଙ୍କୁ ପ୍ରତାରିତ କରିବା ହିଁ ବିଜେପି ସରକାରର ବର୍ଷକର ଉପଲବ୍ଧି। ସରକାରଙ୍କ ଏହି ପ୍ରତାରଣା ବିରୋଧରେ ରାଜ୍ୟବ୍ୟାପୀ ଲୋକଙ୍କୁ ଅବଗତ କରାଯିବ ବୋଲି କହିଛି କଂଗ୍ରେସ। ଏଟିସି ଲସ ସର୍ବଭାରତୀୟ ସ୍ତରରେ ୧୬.୧୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ରହିଛି ୧୯ ପ୍ରତିଶତରୁ ଅଧିକ। ତେଣୁ ରାଜ୍ୟର ଏକ କୋଟି ଉପଭୋକ୍ତା ଆଜି ବିଜୁଳି ଶୁଳ୍କରେ ଶୋଷଣର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।