ବିନା ପରୀକ୍ଷାରେ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଇଲେକ୍ଟ୍ରିସିଆନ୍ ଓ ଓ୍ବାୟାରମ୍ୟାନ ଲାଇସେନ୍ସ

1 min read

ଭୁବନେଶ୍ବର: ନିଯୁକ୍ତି ସୃଷ୍ଟିରେ ରେକର୍ଡ କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ଗୋଟିଏ ଲେଖାଏଁ ବିଭାଗ ନିଯୁକ୍ତିର ଅପାର ସୁଯୋଗ ଆଣିଛନ୍ତି । ଆଇଟିଆଇ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ଇଲେକ୍ଟ୍ରିସିଆନ୍ ଏବଂ ଓୟାରମ୍ୟାନ୍ ନିଯୁକ୍ତି ପାଇଁ ଲାଇସେନ୍ସ ପ୍ରଦାନ କରୁଛି ଶକ୍ତି ବିଭାଗ । ଯେଉଁମାନେ ଆଇଟିଆଇ ପାସ୍ କରିନାହାନ୍ତି ସେମାନେ ଅନଲାଇନ୍ ଯୋଗେ ଆବେଦନ କରିପାରିବେ । ଆବେଦନ କରିବାର ଓ୍ବେବ୍ସାଇଟ୍ ହେଉଛି edistrict.odisha.gov.in. । ଆବେଦନ ପରେ ଇଲେକ୍ଟ୍ରିକାଲ୍ସ୍ ଲାଇସେନ୍ସିଂ ବୋର୍ଡ ଅଫ୍ ଓଡ଼ିଶା ପରୀକ୍ଷା କରି ଲାଇସେନ୍ସ ପ୍ରଦାନ କରିବେ । ଏହି ବ୍ୟବସ୍ଥାରେ ବର୍ଷକୁ ୧୫ରୁ ୨୦ ହଜାର ଲାଇସେନ୍ସ୍ ପ୍ରଦାନ କରୁଛି ଶକ୍ତି ବିଭାଗ ।

ବିଦ୍ୟୁତ ରକ୍ଷଣାବେକ୍ଷଣ କାମ ଅତ୍ଯନ୍ତ ବିପଦପୂର୍ଣ୍ଣ । ଲାଇସେନ୍ସ୍ ନଥାଇ ଦୁର୍ଘଟଣାର ଶିକାର ହେଲେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ପରିବାରକୁ କୌଣସି ପ୍ରକାର କ୍ଷତିପୂରଣ ପ୍ରଦାନ କରାଯାଏନି । ଯେଉଁଥିପାଇଁ ଓଡ଼ିଶା ବିଦ୍ୟୁତ ସଂସ୍କାର ଆଇନ୍ ୨୦୦୩ ଅନୁଯାୟୀ ଲାଇସେନ୍ସ୍ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଓଡ଼ିଶା ସରକାର ନିଯୁକ୍ତି ପ୍ରଦାନ କରିବାରେ ଦେଶରେ ଅଗ୍ରଣୀ ରାଜ୍ୟ । ପ୍ରଶିକ୍ଷିତ ଓ ଆଇଟିଆଇ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ଲାଇସେନ୍ସ୍ ପ୍ରଦାନ କରାଯିବାରୁ ସରକାରୀ ଓ ଘରୋଇ କମ୍ପାନୀରେ ବ୍ୟାପକ ନିଯୁକ୍ତି ମିଳିପାରୁଛି ।

ବିଦ୍ୟୁତ ସେବା ପାଇଁ ଗୁଣାତ୍ମକ କର୍ମଚାରୀ ଚୟନ ଏକ ବଡ଼ ଚାଲେଞ୍ଜ । ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଏହି ଚାଲେଞ୍ଜକୁ ମୁକାବିଲା କରିବାରେ ନୂଆ ଉଦାହରଣ ସୃଷ୍ଟି କରିପାରିଛି ।