ରାଜ୍ଯରେ ବ୍ଯାପକ ହେବ ପରିବହନ ସେବା, ଇଲେକ୍ଟ୍ରି ବସ୍ ଚଳାଚଳ ଉପରେ ଗୁରୁତ୍ବ

ଭୁବନେଶ୍ବର: ରାଜ୍ୟରେ ଗଡିବ ଅଧିକ ଇଲେକ୍ଟ୍ରି ବସ । ଏହା ବ୍ୟୟ ବହୁଳ ହେଲେ ମଧ୍ୟ ପରିବେଶକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ସେହିପରି ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀ ଓ ଦେଶର ପ୍ରମୁଖ ଧର୍ମସ୍ଥଳୀକୁ ମଧ୍ୟ ବସ ଚଳାଚଳ କରିବ । ବାଣିଜ୍ଯ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ପରିବହନ ବିଭାଗର ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସେପଟେ ଲକ୍ଷ୍ମୀ ବସ ସମ୍ପର୍କରେ ତର୍ଜମା ଚାଲିଥିବା କହିଛନ୍ତି ପରିବହନ ମନ୍ତ୍ରୀ ।

ରାଜ୍ଯରେ ବ୍ଯାପକ ହେବ ପରିବହନ ସେବା । ଅଧିକ ସଂଖ୍ଯାରେ ଗଡ଼ିବ ଇଲେକ୍ଟ୍ରି ବସ୍ । ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍ । ବିଭାଗୀୟ ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି ବାଣିଜ୍ଯ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଇଲେକ୍ଟ୍ରି ବସ ସେବା ବ୍ଯୟ ବହୁଳ ହୋଇଥିଲେ ବି ପରିବେଶ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଭଳି ନିଷ୍ପତ୍ତି ନେଇଛି ପରିବହନ ବିଭାଗ । ଏହାଛଡ଼ା ରଥଯାତ୍ରା ସମୟରେ ରାଜ୍ଯର ପ୍ରତି ବ୍ଲକରୁ ଶ୍ରୀକ୍ଷେତ୍ରକୁ ବସ ଚଳାଚଳ କରିବ । ଦେଶର ପ୍ରମୁଖ ତୀର୍ଥସ୍ଥଳୀ ଅଯୋଧ୍ୟା, ବୃନ୍ଦାବନ, ତିରୁପତି, ମହାକାଳେଶ୍ୱର, ବାରଣାସୀକୁ ମଧ୍ୟ ଓଡ଼ିଶାରୁ ବସ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରମୁଖ ଅଞ୍ଚଳରୁ ରାଜଧାନୀକୁ ମଧ୍ଯ ବସ ସେବା ଯୋଗାଇ ଦିଆଯିବ ।

ପୂର୍ବ ସରକାର ସମୟରେ ଲକ୍ଷ୍ମୀ ବସକୁ ଗମନାଗମନ କ୍ଷେତ୍ରରେ ସବୁଠୁ ବଡ଼ ଉପଲବ୍ଧି ବୋଲି କୁହାଯାଉଥିଲା । ଲକ୍ଷ୍ମୀ ବସ ସମ୍ପର୍କରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଏହାର ତର୍ଜମା ଚାଲିଛି । ସମସ୍ତଙ୍କୁ ବସ ସେବା ଯୋଗାଇ ଦିଆଯିବ । ପଞ୍ଚାୟତସ୍ତରରୁ ଚାଲିଥିବା ବସ ସେବା ଆଗକୁ ବି ଜାରି ରହିବ । ସେହିଭଳି ସବୁ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବାକୁ ବିଭାଗ ଯୋଜନା ରଖିଥିବା ମନ୍ତ୍ରୀ କହିଛନ୍ତି ।

ପରିବହନ ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭାଗୀୟ ସଚିବ, ଓଏସଆରଟିସି ଅଧିକାରୀଙ୍କ ସହ ଅନ୍ଯ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ବିଭାଗର କାର୍ଯ୍ୟକାରୀତା ସମ୍ପର୍କରେ ବିସ୍ତୃତ ତଥ୍ଯ ପ୍ରଦାନ କରିଥିଲେ ।