spot_img

Latest Posts

ଗ୍ରାହକଙ୍କ ଉପରେ ବଢିବ କି ବିଜୁଳି ଦରବୃଦ୍ଧି ବୋଝ ?

ନନ୍ଦିଘୋଷ ବ୍ୟୁରୋ: ଗ୍ରାହକଙ୍କ ଉପରେ ବଢିବ କି ବିଜୁଳି ଦରବୃଦ୍ଧି ବୋଝ। ବିଦ୍ୟୁତ ଉତ୍ପାଦକ କମ୍ପାନୀ ଠୁ ଆରମ୍ଭ କରି ବିଦ୍ୟୁତ ବିତରକ କମ୍ପାନୀ ସମସ୍ତେ ଦର ବଢାଇବାକୁ ଦାବି କରୁଛନ୍ତି। ଯଦି ସେମାନଙ୍କ ଦାବିକୁ ମାନି ନିଆଯାଏ ତା ହେଲେ ରେଟ୍ ୟୁନିଟ ପିଛା ଦେଢ଼ ଟଙ୍କା ଲେଖାଏଁ ବଢ଼ିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାକୁ କିନ୍ତୁ ଜୋରଦାର ବିରୋଧ କରିଛି ଉପଭୋକ୍ତା ମହାସଂଘ। ଉପଭୋକ୍ତାଙ୍କ ତରଫରୁ କୁହାଯାଇଛି,  ଆୟୋଗଙ୍କ ଦ୍ୱାରା ଦିଆଯାଇଥିବା ଏଟିସି ଲସ୍ ଟାର୍ଗେଟ ପୂରଣ କରି ପାରୁ ନାହାନ୍ତି ବିଦ୍ୟୁତ ବିତରଣ କମ୍ପାନୀ। ତେଣୁ ଦର ବଢାଇବା ବଦଳରେ କମ୍ପାନୀର ଲାଇସେନ୍ସ ରଦ୍ଦ କରାଯାଉ। ସେପଟେ କମିଶନ କହିଛନ୍ତି, ଶୁଣାଣି ପରେ ସବୁ ଷ୍ଟେକ ହୋଲଡରଙ୍କ ସହ ଆଲୋଚନା କରାଯିବ ଓ ନିଷ୍ପତ୍ତି ନିଆଯିବ।

ସତରେ ବଢ଼ିବ କି ବିଜୁଳି ଦର। ଯଦି ବଢ଼େ କେତେ ବଢ଼ିବ। ଓପିଜିସି, ଓପିଟିସିଏଲ ଏବଂ ବିଦ୍ୟୁତ ବିତରକ କମ୍ପାନୀ ଟାଟା ପାୱାର ଦର ବୃଦ୍ଧି ପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଦାବି ରଖିଥିବାରୁ ଗ୍ରାହକଙ୍କ ଉପରେ ବୋଝ ପଡ଼ିବାର ଆଶଙ୍କା ଦେଖା ଦେଇଛି। କୁହାଯାଉଛି ୟୁନିଟ୍ ପିଛା ଦେଢ଼ ଟଙ୍କା ବଢ଼ିବ। ଏବେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗରେ ବିଦ୍ୟୁତ ଦେୟ ସମ୍ପର୍କିତ ଶୁଣାଣି ଚାଲିଛି। ୨୦୨୫-୨୬ ବର୍ଷ ପାଇଁ ଟିପିସିଓଡିଏଲର ରାଜସ୍ୱ ଆବଶ୍ୟକତା ୨୪୯୦ କୋଟି ଟଙ୍କା ଦର୍ଶାଯାଇଥିବା ବେଳେ ୧୪୨ କୋଟିର ଅଭାବ ଥିବା କୁହାଯାଇଛି। ଏହାକୁ ବିରୋଧ କରିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ।

ମହାସଂଘର ଅଭିଯୋଗ ହେଲା-ପୂର୍ବ ବର୍ଷର ଟାର୍ଗେଟ ଅନୁଯାୟୀ ଟିପିସିଓଡିଏଲ ଏଟିସି କ୍ଷତି କମାଇ ପାରୁନି । ଏଟିସିର ଟେକନିକାଲ ଲସ୍ ଟାର୍ଗେଟ ଥିଲା ୮ ଦଶମିକ ଏକ ପାଞ୍ଚ ପ୍ରତିଶତ। କିନ୍ତୁ କମ୍ପାନୀ ହାସଲ କରିପାରିଛି ମାତ୍ର ୬.୪୮ ପ୍ରତିଶତ। ଏଟିସି କ୍ଷତି ଭରଣା କଲେ ଲୋକଙ୍କୁ ଆଉ ଅଧିକ ଅର୍ଥ ଦେବାକୁ ପଡିବନି।  ଯଦି କମ୍ପାନୀ ଏଟିସି କ୍ଷତି ହ୍ରାସ କରିପାରିଲା ନାହିଁ, ତା ହେଲେ କ୍ୟାପେକ୍ସରେ ଏତେ ଖର୍ଚ୍ଚ କାହିଁକି ହେଲା ବୋଲି ପ୍ରଶ୍ନ କରିଛି ଉପଭୋକ୍ତା ମହାସଂଘ। ସେଥିପାଇଁ ଟିପିସିଓଡିଏଲର ଲାଇସେନ୍ସ ରଦ୍ଦ କରାଯାଉ ବୋଲି ଦାବି କରାଯାଇଛି। ଏଥି ସହିତ ପେନାଲଟି ନାଁ ରେ ଲୋକଙ୍କଠାରୁ ୧ ହଜାର କୋଟି ଟଙ୍କା ଲୁଟ କରାଯାଇଥିବା ବି ଅଭିଯୋଗ ହୋଇଛି। ଏହି ଟଙ୍କାଙ୍କୁ କିନ୍ତୁ ଆୟୋଗଙ୍କ ନିକଟରେ ଦର୍ଶାଯାଇନାହିଁ। ଏହାକୁ ନେଇ ସରକାରଙ୍କୁ ସ୍ମାରକପତ୍ର ଦିଆଯିବା ସହ ଏହି ପେନାଲଟି ର ଅଡିଟ କରାଯାଉ ବୋଲି ଦାବି କରାଯାଇଛି।

ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ କୁହାଯାଇଛି ବିଜୁଳି ଦର ବୃଦ୍ଧି ପାଇଁ ସବୁ କମ୍ପାନୀ ଦାବି କରିଛନ୍ତି। ବିଦ୍ୟୁତ ଉତ୍ପାଦକ କମ୍ପାନୀ ଓ ବିତରକ କମ୍ପାନୀ ଟାରିଫ ବୃଦ୍ଧି ସପକ୍ଷରେ ଅଛନ୍ତି। ଏହି ଦାବିରେ କେତେ ଯଥାର୍ଥତା ଅଛି ସମସ୍ତ ଷ୍ଟେକ ହୋଲ୍ଡରଙ୍କୁ ନେଇ ଆଲୋଚନା କରାଯିବ। ତା ପରେ ନିଆଯିବ ନିଷ୍ପତ୍ତି। କମ୍ପାନୀଗୁଡ଼ିକ ଭାବୁଛନ୍ତି ଆଗକୁ ଏଆରଆର କଷ୍ଟ୍ ବଢ଼ିପାରେ। ସେଥିପାଇଁ ବିଜୁଳି ଦର ବୃଦ୍ଧି ପାଇଁ ସେମାନେ ଦାବି କରୁଛନ୍ତି। ତେବେ ଆୟୋଗ ସମସ୍ତ ବିଷୟ ତର୍ଜମା କରିବା ପରେ ଗ୍ରାହକ, ଉତ୍ପାଦକ ସଂସ୍ଥା, ବିତରକ ସମସ୍ତଙ୍କ ସ୍ୱାର୍ଥକୁ ଦେଖି ନିଷ୍ପତି ନେବେ ବୋଲି କୁହାଯାଇଛି।

ବିଜୁଳି ଦର ୟୁନିଟ ପିଛା ୨୦ ପଇସା ବୃଦ୍ଧି କରିବାକୁ ପୂର୍ବରୁ ଟିପିଏନଓଡିଏଲ ଦାବି କରିଥିବା ବେଳେ ୭୩ ପଇସା ବୃଦ୍ଧି ପାଇଁ ଦାବି କରିଥିଲା ଟିପିଏସଓଡିଏଲ। ଆଜି ଟିପିସିଓଡିଏଲ ମଧ୍ୟ ଟାରିଫ ବୃଦ୍ଧି ସପକ୍ଷରେ ମତ ଦେଇଛି। ଆସନ୍ତା ୨୭ ତାରିଖରେ ଟିପିଡବ୍ଲୁଓଡିଏଲର ଶୁଣାଣି ରହିଛି। ମାର୍ଚ୍ଚ ୧ ତାରିଖରେ ରାଜ୍ୟ ଉପଦେଷ୍ଟା କମିଟି ବୈଠକ ହେବ। ତା ପରେ ଆୟୋଗ ନିଷ୍ପତ୍ତି ନେବେ ।

Latest Posts

Don't Miss