ଜଗତସିଂହପୁର ପଟସରାରେ ନିର୍ବାଚନୀ ହିଂସା, ବୁଥରେ ଭୋଟ ବାକ୍ସ ଭଙ୍ଗାରୁଜା କଲେ ବିଜେପି କର୍ମୀ

ଜଗତସିଂହପୁର: ଜଗତସିଂହପୁର ପଟସରାରେ ନିର୍ବାଚନୀ ହିଂସା । ଜଗତସିଂହପୁରରେ ବିଜେପି କର୍ମୀଙ୍କ ଗୁଣ୍ଡାଗିରି । ପଟସରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ନମ୍ବର ବୁଥରେ ଭୋଟ ବାକ୍ସ ଭଙ୍ଗାରୁଜା କଲେ ବିଜେପି କର୍ମୀ । ୪୦ ରୁ ୫୦ ବିଜେପି କର୍ମୀ ବୁଥ ଭିତରେ ପଶି ଭୋଟ ବାକ୍ସ ସହ ସବୁ ନିର୍ବାଚନ ସାମଗ୍ରୀ ଭାଙ୍ଗି ମତଦାତାଙ୍କୁ ଠେଲି ବାହାରକୁ ବିଦା କରିଦେଇଥିବା ଦେଖିବାକୁ ମିଳିଛି । ପରାଜୟ ଭୟରେ ବୁଥରେ ପଶି ଭୋଟ ବାକ୍ସ ଭଙ୍ଗାରୁଜା କରୁଛି ବିଜେପି କର୍ମୀ ।

ଅନ୍ୟପକ୍ଷରେ ଜଗତସିଂହପୁର ପଲି ପଞ୍ଚାୟତରେ ମଧ୍ୟ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ବୁଥ୍ ଭିତରେ ୱାର୍ଡମେମ୍ବର ସମର୍ଥକଙ୍କ ଭୋଜିକୁ ନେଇ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଯାହାଫଳରେ ଉଭୟ ପକ୍ଷରୁ ୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ପଲି ପଞ୍ଚାୟତର କିଛି ଯୁବକ ବୁଥ ମଧ୍ୟରେ ଭୋଜି କରିଥିଲେ । ଏହି ଖବର ପାଇ ପୋଲିସର ମୋବାଇଲ ଭ୍ୟାନ ଗାଁ ମଧ୍ୟକୁ ଆସିଥିଲା । ସେହି ସମୟରେ ସେଠାରେ ଭୋଜି କରୁଥିବା ଯୁବକମାନେ ପୋଲିସ ଗାଡି ଉପରକୁ ଢେଲା ମାଡ କରିଥିଲେ । ତେବେ ପୋଲିସ ଗାଡିକୁ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।

ସୂଚନା ଅନୁସାରେ, ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୩୦ ଜିଲ୍ଲାର ୬୮ ବ୍ଲକରେ ୧୮୬ ଜିଲ୍ଲା ପରିଷଦ ଆସନ ପାଇଁ ପଡ଼ୁଛି ଭୋଟ । ୧ ହଜାର ୫୧୪ ପଞ୍ଚାୟତର ୨୦ ହଜାରରୁ ଅଧିକ ବୁଥରେ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଭୋଟ କାର୍ଡ ନଥିଲେ ନିର୍ବାଚନ କମିଶନଙ୍କ ଦ୍ୱାରା ଅନୁମୋଦିତ ଅନ୍ୟ ୧୩ଟି କାର୍ଡ ଦେଖାଇ ଭୋଟର ମତାଧିକାର ସାବ୍ୟସ୍ତ କରିପାରିବେ ।

Leave a Reply