ଏସବିଆଇକୁ ସୁପ୍ରିମକୋର୍ଟଙ୍କ ଝଟକା ; ଆସନ୍ତାକାଲି ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ କାଠଗଡ଼ାରେ ଷ୍ଟେଟ ବ୍ଯାଙ୍କ। ଗତ ୨୬ ଦିନ ଧରି କଣ କରୁଥିଲ ବୋଲି ଷ୍ଟେଟବ୍ଯାଙ୍କକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଆସନ୍ତକାଲି ସୁଦ୍ଧା ତଥ୍ଯ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମାର୍ଚ୍ଚ ୧୫ ସୁଦ୍ଧା ତଥ୍ଯ ଅପଲୋଡ ଲାଗି କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଆଜି ହୋଇଛି ଶୁଣାଣି।

ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଞ୍ଚ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ଵ ଗଠିତ ବେଂଚ୍ ଏହି ମାମଲାର ଶୁଣାଣି କରିଛନ୍ତି। ଜାଣିଶୁଣି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ତଥ୍ୟ ପ୍ରଦାନ କରିନଥିବା ନେଇ ସୁପ୍ରିମକୋର୍ଟରେ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ନାଁରେ ଅଦାଲତ ଅବମାନନା ମାମଲା ହୋଇଛି। ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଆକାରରେ ମିଳିଥିବା ଅର୍ଥର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଷ୍ଟେଟ ବ୍ଯାଙ୍କକୁ ନିର୍ଦ୍ଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ।

ତେବେ ଏହି ତଥ୍ୟ ପ୍ରଦାନ କରିବାକୁ ଆସନ୍ତା ଜୁନ ୩୦ ସୁଦ୍ଧା ସମୟ ମାଗିଛି ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ। ଗତ ମାସରେ ଏହି ନିର୍ବାଚନୀ ବଣ୍ଡକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। କେଉଁ ଦଳକୁ କେତେ ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ ମିଳିଛି ଏହାର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାର୍ଚ୍ଚ ୬ ତାରିଖ ସୁଦ୍ଧା ନିର୍ବାନୀ ବଣ୍ଡରେ ମିଳିଥିବା ଟଙ୍କାର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଗତ ଫେବୃଆରୀ ୧୫ରେ ନିର୍ବାଚନୀ ବଣ୍ଡ ଆକାରରେ ରାଜନୈତିକ ଦଳକୁ ମିଳୁଥିବା ଅର୍ଥ ବ୍ୟବସ୍ଥାକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଂଚ ଏହି ବ୍ୟବସ୍ଥାକୁ କେନ୍ଦ୍ର ସରକାରଙ୍କ ନିର୍ବାଚନୀ ବଣ୍ଡ ବ୍ୟବସ୍ଥାକୁ ରଦ୍ଦ କରିଥିଲେ।

ରାଜନୈତିକ ଦଳକୁ ପାଣ୍ଠି ପ୍ରଦାନକୁ ଅସାମ୍ବିଧାନିକ କହିବା ସହ ଦାନ ଦେଇଥିବା ଏବଂ ଦାନ ଗ୍ରହଣ କରିଥିବା ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କ ସମସ୍ତ ସୂଚନା ପ୍ରଦାନ କରିବାକୁ କହିଥିଲେ। ନିର୍ବାଚନୀ ବଣ୍ଡ ପ୍ରଦାନ ଲାଗି ସ୍ଵୀକୃତି ପାଇଥିବା ଆର୍ଥିକ ସଂସ୍ଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ମାର୍ଚ୍ଚ ୬ ତାରିଖ ସୁଦ୍ଧା ୧୨ ଏପ୍ରିଲ ୨୦୧୯ ପରଠାରୁ ଆଜି ପର୍ଯ୍ୟନ୍ତ କିଣାଯାଇଥିବା ନିର୍ବାଚନୀ ବଣ୍ଡ ବିଷୟରେ ତଥ୍ୟ ପ୍ରଦାନ କରିବାକୁ କହିଥିଲେ। ଏହାର ସମସ୍ତ ତଥ୍ୟ ଅଫିସିଆଲ ୱେବସାଇଟରେ ମାର୍ଚ୍ଚ ୧୩ ସୁଦ୍ଧା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ।