ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗ; ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଆଜି ଶୁଣାଣି। ସର୍ବୋଚ୍ଚ ନ୍ୟାୟାଳୟରେ ଏହି ମାମଲାର ଶୁଣାଣି ହେବ। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଞ୍ଚ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ଵ ଗଠିତ ବେଂଚ୍ ଏହି ମାମଲାର ଶୁଣାଣି କରିବ। ଏହାସହ ଷ୍ଟେଟ ବ୍ଯାଙ୍କ ଅଦାଲତ ଅବମାନନା ନେଇ ହୋଇଥିବା ଆବେଦନର ମଧ୍ୟ ଶୁଣାଣି କରିବେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ। ଜାଣିଶୁଣି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ତଥ୍ୟ ପ୍ରଦାନ କରିନଥିବା ନେଇ ସୁପ୍ରିମକୋର୍ଟରେ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ନାଁରେ ଅଦାଲତ ଅବମାନନା ମାମଲା ହୋଇଛି। ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଆକାରରେ ମିଳିଥିବା ଅର୍ଥର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଷ୍ଟେଟ ବ୍ଯାଙ୍କକୁ ନିର୍ଦ୍ଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ। ତେବେ ଏହି ତଥ୍ୟ ପ୍ରଦାନ କରିବାକୁ ଆସନ୍ତା ଜୁନ ୩୦ ସୁଦ୍ଧା ସମୟ ମାଗିଛି ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ। ଗତ ମାସରେ ଏହି ନିର୍ବାଚନୀ ବଣ୍ଡକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ।

କେଉଁ ଦଳକୁ କେତେ ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ ମିଳିଛି ଏହାର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାର୍ଚ୍ଚ ୬ ତାରିଖ ସୁଦ୍ଧା ନିର୍ବାନୀ ବଣ୍ଡରେ ମିଳିଥିବା ଟଙ୍କାର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଗତ ଫେବୃଆରୀ ୧୫ରେ ନିର୍ବାଚନୀ ବଣ୍ଡ ଆକାରରେ ରାଜନୈତିକ ଦଳକୁ ମିଳୁଥିବା ଅର୍ଥ ବ୍ୟବସ୍ଥାକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଂଚ ଏହି ବ୍ୟବସ୍ଥାକୁ କେନ୍ଦ୍ର ସରକାରଙ୍କ ନିର୍ବାଚନୀ ବଣ୍ଡ ବ୍ୟବସ୍ଥାକୁ ରଦ୍ଦ କରିଥିଲେ। ରାଜନୈତିକ ଦଳକୁ ପାଣ୍ଠି ପ୍ରଦାନକୁ ଅସାମ୍ବିଧାନିକ କହିବା ସହ ଦାନ ଦେଇଥିବା ଏବଂ ଦାନ ଗ୍ରହଣ କରିଥିବା ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କ ସମସ୍ତ ସୂଚନା ପ୍ରଦାନ କରିବାକୁ କହିଥିଲେ।

ନିର୍ବାଚନୀ ବଣ୍ଡ ପ୍ରଦାନ ଲାଗି ସ୍ଵୀକୃତି ପାଇଥିବା ଆର୍ଥିକ ସଂସ୍ଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ମାର୍ଚ୍ଚ ୬ ତାରିଖ ସୁଦ୍ଧା ୧୨ ଏପ୍ରିଲ ୨୦୧୯ ପରଠାରୁ ଆଜି ପର୍ଯ୍ୟନ୍ତ କିଣାଯାଇଥିବା ନିର୍ବାଚନୀ ବଣ୍ଡ ବିଷୟରେ ତଥ୍ୟ ପ୍ରଦାନ କରିବାକୁ କହିଥିଲେ। ଏହାର ସମସ୍ତ ତଥ୍ୟ ଅଫିସିଆଲ ୱେବସାଇଟରେ ମାର୍ଚ୍ଚ ୧୩ ସୁଦ୍ଧା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୪ ତାରିଖରେ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଆସନ୍ତା ଜୁନ ୩୦କୁ ତଥ୍ୟ ଦାଖଲ ସମୟ ବୃଦ୍ଧି କରିବାକୁ ଆବେଦନ କରିଛି।

ଏହି ପ୍ରକ୍ରିୟା ସମୟ ସାପେକ୍ଷ ହୋଇଥିବାରୁ ଅଧିକ ସମୟ ମାଗିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ତେବେ ତଥ୍ୟ ପ୍ରଦାନ କରାଯାଇନଥିବାରୁ ଏନଜିଓ ଏଡିଆର ପକ୍ଷରୁ ଷ୍ଟେଟ ବ୍ୟାଙ୍କ ନାଁରେ ଅଦାଲତ ଅବମାନନା ଅଭିଯୋଗ କରାଯାଇଛି। ଲୋକସଭା ନିର୍ବାଚନ ଥିବାରୁ ଜାଣିଶୁଣି ନିର୍ବାନୀ ବଣ୍ଡ ତଥ୍ୟ ପ୍ରଘଟ ହେବା ସମ୍ଭାବନାରୁ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ଏଭଳି ବିଳମ୍ବ କରୁଥିବା କହିଛି ଏଡିଆର।