ନିର୍ବାଚନୀ ବଣ୍ଡ ପ୍ରସଙ୍ଗ: ନିର୍ବାଚନ କମିଶନଙ୍କ ପାଖରେ ତଥ୍ୟ ଦାଖଲା କଲା SBI

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ଜରିଆରେ ରାଜନୈତିକ ଦଳଗୁଡିକୁ ଅର୍ଥ ପ୍ରଦାନ ମାମଲା । ନିର୍ବାଚନ କମିଶନଙ୍କ ନିକଟରେ ତଥ୍ୟ ଦାଖଲ କଲା ଏସବିଆଇ । ଗତକାଲି ସୁପ୍ରିମକୋର୍ଟଙ୍କ ଦାଗିଦ ପରେ ଆଜି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧ୍ୟକ୍ଷ ତଥ୍ୟ ଦାଖଲ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ନିର୍ବାଚନ କମିଶନଙ୍କ ନିକଟରେ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ପ୍ରଦାନ କରିଛନ୍ତି ଏସବିଆଇ ଅଧ୍ୟକ୍ଷ ।

ତଥ୍ୟ ପ୍ରଦାନ କରିବା ସହ ଏ ପ୍ରସଙ୍ଗ ନେଇ ଏକ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି । ଏହାସହ ଆସନ୍ତା ଶୁକ୍ରବାର ଅପରାହ୍ନ ୫ଟା ସୁଦ୍ଧା ଏହି ତଥ୍ୟ ଅଫିସିଆଲ ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ପୂର୍ବରୁ ସୁପ୍ରିମକୋର୍ଟ ଷ୍ଟେଟ ବ୍ଯାଙ୍କକୁ ଚଳିତ ମାର୍ଚ୍ଚ ୬ ତାରିଖ ସୁଦ୍ଧା ତଥ୍ୟ ପ୍ରଦାନ କରିବାକୁ କହିଥିଲେ ମଧ୍ୟ ଷ୍ଟେଟ୍ ବ୍ୟାଙ୍କ ଏହା କରି ନଥିଲା । ଏହାପରେ ଆଜି ସୁଦ୍ଧା ଏହି ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଯଦି ଏହି ନିର୍ଦ୍ଦେଶକୁ ନେଇ ଷ୍ଟେଟ ବ୍ଯାଙ୍କ ତଥ୍ୟ ଦାଖଲ ନକରେ, ଜାଣିଶୁଣି ଏହି ତଥ୍ୟ ପ୍ରଦାନ କରାଯାଉ ନଥିବା ଧରାୟିବ । ଏଥିଲାଗି ଷ୍ଟେଟ ବ୍ଯାଙ୍କ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ ବୋଲି ଦାଗିଦ କରିଥିଲେ ସୁପ୍ରିମକୋର୍ଟ ।