ଖଲ୍ଲିକୋଟରେ ନିର୍ବାଚନୀ ହିଂସା ମାମଲା: ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ ପୋଲିସକୁ ଆକ୍ରମଣ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ମାମଲା । ୮ ଅଭିଯୁକ୍ତଙ୍କୁ ଥାନାରୁ ନେବାବେଳେ ପୋଲିସ ଉପରେ ଉତ୍ତ୍ଯକ୍ତ ଲୋକଙ୍କ ଆକ୍ରମଣ । ପୋଲିସ ଭ୍ଯାନ ଉପରକୁ ବୋତଲ ଓ ପଥର ମାଡ଼ । ଉତ୍ତ୍ଯକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସର ମୃଦୁ ଲାଠି ଚାଳନା । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି । ଥାନାଠୁ ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଏକାଠି ୩ ଜଣ ବୁଲିବା ଉପରେ କଟକଣା ଜାରି କରାଯାଇଛି ।
ଗତକାଲି ଶ୍ରୀକୃଷ୍ଣଶରଣପୁରଠାରେ ପୋଷ୍ଟର ମରାକୁ କେନ୍ଦ୍ର କରି ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ଯରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ସହ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା । ମାମଲାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ଗିରଫ କରିଛି । ଏଥିସହ କର୍ତ୍ତବ୍ଯରେ ଅବହେଳା ଯୋଗୁଁ ଖଲ୍ଲିକୋଟ ଥାନାର ୪ ପୋଲିସ କର୍ମଚାରୀଙ୍କୁ ଏସପି ଅଫିସକୁ ବଦଳି କରାଯାଇଛି । ହିଂସାରେ ବିଜେଡିର ୮ ଜଣ କର୍ମୀ ଗୁରୁତର ହୋଇଥିବାବେଳେ ବିଜେପିର ଜଣେ କର୍ମୀଙ୍କର ମୃତ୍ଯୁ ଘଟିଛି । ମୃତକ ହେଲେ ଦିଲ୍ଲୀପ ପାହାନ । ବିଜେଡିର ୮ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି ।
ଏପଟେ ଗତକାଲି ମଧ୍ଯରାତ୍ରିରେ ଖଲ୍ଲିକୋଟ ବିଜେଡି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ଯଙ୍କ ଭାସଭବନ ସାମ୍ନାରେ ବିଜେପି କର୍ମୀମାନେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ଘର ସାମ୍ନାରେ ଥିବା ଗାଡ଼ିଗୁଡ଼ିକୁ ଠେଙ୍ଗା ଓ ଲୁହା ରଡରେ ବାଡ଼େଇ ଚୂରମାର କରିଛନ୍ତି । ଆଜି ସକାଳୁ କିଛି ବିଜେପି କର୍ମୀ ଖଲ୍ଲିକୋଟ ଥାନା ଆଗରେ ରୁଣ୍ଡ ହୋଇଛନ୍ତି । ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ ବଢ଼ାଯାଇଛି ।