ଜାଣନ୍ତୁ ଚଳିତ ନିର୍ବାଚନ ଜିତିଲେ କେଉଁ ଦଳ କଣ କରିବାକୁ ଦେଇଛି ପ୍ରତିଶୃତି

1 min read

ନନ୍ଦିଘୋଷ ବ୍ୟୁରୋ : ନିର୍ବାଚନ ଜିତିଲେ କିଏ କଣ କରିବ । ହାତୀଦେବୁ ଘୋଡ଼ାଦେବୁର ପ୍ରତିଶୃତି ଭିତରେ ଏଥର ଆଖି ତରାଟି ଦେଇଥିଲା ଗ୍ଯାରେଣ୍ଟି ପଲିଟିକ୍ସ । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭୋଟରଙ୍କୁ ଦେଇଥିଲେ ଗ୍ଯାରେଣ୍ଟି । ବିଜେଡି ଆଣିଥିଲା ଫାଇଭ-ଟି ନବୀନ ଗ୍ଯାରେଣ୍ଟି । ଲୋକଙ୍କ ମତରେ ପ୍ରସ୍ତୁତ ହୋଇଥିଲା ନିର୍ବାଚନୀ ଇସ୍ତାହାର । ଓଡ଼ିଶା ରାଜନୀତିରେ ଚହଳ ପକାଇଥିଲା ବିଜେଡିର ମାନିଫେଷ୍ଟୋ । ଜୁଲାଇରୁ ଆଉ ଆସିବନି ବିଜୁଳି ବିଲ୍ । ନବୀନ ବାବୁଙ୍କ ଗ୍ଯାରେଣ୍ଟି ବିଜୁଳି ବିଲକୁ ବାଏ ବାଏ । ବିଜେଡିର ଏଇ ଗୋଟିଏ ଘୋଷଣା ସମସ୍ତଙ୍କୁ ଚମକାଇଦେଇଥିଲା । ଖାଲି ଚମକେଇ ନଥିଲା ବିରୋଧୀଙ୍କୁ ଲାଗିଥିଲା ୪୪୦ ଭୋଲ୍ଟର ଝଟକା । ଏହାଛଡ଼ା ମିଶନ ଶକ୍ତି ମାଆଙ୍କୁ ୬୦ ବର୍ଷ ପରେ ଭତ୍ତା, ସମସ୍ତଙ୍କୁ ବିଏସକେୱାଇ, ନୂଆ-ଓ ବୃତ୍ତି ଅର୍ଥରାଶି ବୃଦ୍ଧି, ମିଶନ ଶକ୍ତି ମାଆଙ୍କୁ ବିନା ସୁଧରେ ୧୫ ଲକ୍ଷ ଟଙ୍କାର ଋଣ ପ୍ରତିଶୃତି ଭୋଟରଙ୍କୁ ଆକୃଷ୍ଟ କରିଥିଲା । ମଧ୍ଯବିତ୍ତଙ୍କ ମେରୁଦଣ୍ଡକୁ ସୁଦୃଢ କରିବାକୁ  ୨୦ଲକ୍ଷ ପର୍ଯ୍ୟନ୍ତ ଗୃହ ଋଣ ସୁଧ ଉପରେ ରିହାତି ପ୍ରତିଶୃତି ବି ଦେଇଥିଲା ବିଜେଡି । ଦେଶରେ ପ୍ରଥମ କରି ଯୁବ ବଜେଟ ଆଣିବାର ପ୍ରତିଶୃତି ଯୁବପିଡିଙ୍କୁ ବେଶ୍ ପ୍ରଭାବିତ କରିଛି ।

ସେପଟେ ମାଗଣାର ମାୟାମୃଗ ଦେଖାଇଥିଲା ଭାରତୀୟ ଜନତା ପାର୍ଟି । ଲୋକଙ୍କୁ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ଦେବୁ ବୋଲି ପ୍ରତିଶ୍ରୁତି ଦେଇଥିଲା ଦଳ । ହେଲେ ଏଥିରେ ପ୍ଯାନେଲ ଲଗାଇବାକୁ ଲୋକଙ୍କୁ ହିଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଯାହାକି ଲୋକଙ୍କ ଘରେ ବିଶେଷ ପ୍ରଭାବ ପକାଇପାରିନାହିଁ । ବରିଷ୍ଠ ନାଗରିକଙ୍କୁ ମାସିକ ୩ହଜାର ଟଙ୍କା ଭତ୍ତା, ଧାନର ଏମଏସପି ୩୧୦୦ ଟଙ୍କା କରିବାର ଲୋଭନୀୟ ପ୍ରତିଶୃତି ବିଜେପି ଦେଇଥିଲା । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ଭାଉଚର ଦେବାକୁ ବି ଦଳ ଘୋଷଣା କରିଥିଲା । ମାତ୍ର ଏସବୁ ବାସ୍ତବତା ଅକଳ୍ପନୀୟ ବୋଲି ମନେ କରିଥିଲେ ଭୋଟର । ଅନ୍ଯପଟେ ମହାନଦୀ, କୋଟିଆ ପ୍ରସଙ୍ଗରେ ବିଜେପିର ନିରବତା, ୨ କୋଟି ଚାକିରି ଦେବାର ପୁରୁଣା ପ୍ରତିଶୃତି, ଏନଏଚ-୫୫, କୋଷ୍ଟାଲ ହାଇୱେ, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ଯପାହ୍ଯା ଆଦି ପସଙ୍ଗରେ ଚୁପ୍ ରହିବା ବିଜେପିକୁ ବ୍ଯାକଫୁଟକୁ ନେଇଯାଇଥିଲା ।

ଅନ୍ଯପଟେ କଂଗ୍ରେସ ବି ମାଗଣା ଓ ଲୋଭନୀୟ ପ୍ରତିଶୃତି ଦେବାରେ ପଛରେ ପଡ଼ିନଥିଲା । କଂଗ୍ରେସ ସ୍ଲୋଗାନ ଥିଲା ହାତ ବଦଳାଇବ ହାଲାତ । ୨୦୦ ୟୁନିଟ ଯାଏଁ ମାଗଣା ବିଜୁଳି । ଧାନର ଏମଏସପି ବୃଦ୍ଧି, ମହିଳାଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କା ଦେବାକୁ ବି ଘୋଷଣା କରିଥିଲା ହାତ ଦଳ । ତେବେ ଏସବୁ ଭିତରେ କାହାର ମାନିଫେଷ୍ଟୋ ଲୋକଙ୍କୁ ଅଧିକ ପସନ୍ଦ ଆସିଛି ତାହା ଫଳାଫଳ ଆସିବା ପରେ ହିଁ ସ୍ପଷ୍ଟ ହେବ ।