ଭୁବନେଶ୍ବରର ବିଭିନ୍ନ ଖଟି ସ୍ଥାନରେ ପୋଲିସର ଚଢ଼ାଉ

ଭୁବନେଶ୍ୱର :  ନିର୍ବାଚନକୁ ଦୃଷ୍ଟିରେ ରଖି ଅପରାଧ ହ୍ରାସ ପାଇଁ ଭୁବନେଶ୍ବରର ବିଭିନ୍ନ ଖଟି ସ୍ଥାନରେ ପୋଲିସର ଚଢ଼ାଉ ଓ ଫୁଟ୍ ପାଟ୍ରୋଲିଂ। ପୋଲିସ କମିଶନର ଓ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରାଯାଇଛି। ଏକାଧିକ ଖଟି ସ୍ଥାନରେ ଚଢାଉ କରାଯାଇଥିବା ବେଳେ, ସର୍ବସାଧାରଣ ସ୍ଥାନରେ ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଧରପଗଡ ଅଭିଯାନ କରାଯାଇଥିଲା । ବିଶେଷ କରି ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ତଥା ନିର୍ବାଚନକୁ ପ୍ରଭାବିତ କରୁଥିବା କିଛି କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

ଭୁବନେଶ୍ବର ସହରାଞ୍ଚଳରେ ଥିବା ବିଭିନ୍ନ ଥାନା ଆଇଆଇସି ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କ୍ୟାପିଟାଲ ଥାନା, ଧଉଳି ଥାନା, ଲକ୍ଷ୍ମୀସାଗର ଥାନା ଓ ବଡଗଡ ଥାନା ଅନ୍ତର୍ଗତ ବିଭିନ୍ନ ବସ୍ତି ଅଞ୍ଚଳ ଓ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଫୁଟ୍ ପାଟ୍ରୋଲିଂ କରାଯାଇଛି । ସାଧାରଣ ଲୋକଙ୍କ ମନୋବଳ ସୁଦୃଢ କରିବା ସହ ସେମାନଙ୍କୁ ସଚେତନ କରାଯାଇଥିଲା। ନିର୍ବାଚନ ପୂର୍ବରୁ ଅପରାଧିକ କାର୍ଯ୍ୟକଳାପ ଓ ଅପରାଧୀଙ୍କୁ ଦମନ କରିବା ସହିତ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଓ ଭୋଟର ମାନଙ୍କର ମନୋବଳ ବୃଦ୍ଧି କରିବା ନିମନ୍ତେ ଏହି ଅଭିଯାନ କରାଯାଇଥିଲା।