ବଦଳିଲା ନିୟମ: ନିର୍ବାଚନ ବେଳର ସିସିଟିଭି ରେକର୍ଡିଂ, ଓ୍ବେବ କାଷ୍ଟିଂ ଫୁଟେଜ ଦେଖି ହେବନି

1 min read

ନୂଆଦିଲ୍ଲୀ: ନିର୍ବାଚନ ବେଳର ସିସିଟିଭି ରେକର୍ଡିଂ, ୱେବ କାଷ୍ଟିଂ ଫୁଟେଜ, ଭିଡିଓ ରେକର୍ଡିଂ ଆଉ ଦେଖି ପାରିବେନି ଲୋକେ । ଏ ସମ୍ପର୍କିତ ନିୟମବଦଳାଇଲେ କେନ୍ଦ୍ର ସରକାର । ଏସବୁର ଅପବ୍ୟବହାର ହେଉଥିବା କହି ନିୟମ ପରିବର୍ତ୍ତନ କରାଯାଇଛି । ନିର୍ବାଚନ କମିଶନଙ୍କ ସୁପାରିଶ ଆଧାରରେ ଏହି ନିୟମ ବଦଳା ଯାଇଛି ।

ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ନିର୍ବାଚନର ସ୍ଵଚ୍ଛତାରେ ଏହି ନିୟମ ପରିବର୍ତ୍ତନ ଆଞ୍ଚ ଆଣିବ ବୋଲି ସେମାନେ ଅଭିଯୋଗ କରିଛନ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି, ବୁଥ୍ ଭିତରର ସିସିଟିଭି କ୍ୟାମେରା ଫୁଟେଜର ଅପବ୍ୟବହାର କରାଯାଇପାରେ । ଫୁଟେଜ୍ ସାର୍ବଜନୀନ କରାଗଲା, କିଏ କାହାକୁ ଭୋଟ ଦେଲା ତାହା ଜଣାପଡ଼ି ଯିବାର ଆଶଙ୍କା ରହିଛି । ଆର୍ଟିଫିସିଆଲ୍ ଇଣ୍ଟିଲିଜେନସର ବ୍ୟବହାର କରି ଏହାକୁ ଭିନ୍ନ ରୂପ ବି ଦିଆଯାଇପାରେ ।

ଏହାପରେ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ନିର୍ବାଚନ ପରିଚାଳନା ଆଇନ ୧୯୬୧ର ରୁଲ୍ ୯୩-୨ ଏ ରେ ପରିବର୍ତ୍ତନ କରିଛନ୍ତି । ସଂଶୋଧିତ ଆଇନ ଅନୁସାରେ ନୋମିନେସନ, ଏଜେଣ୍ଟ ନିଯୁକ୍ତି, ଫଳାଫଳ, ଆକାଉଣ୍ଟ ଷ୍ଟେଟମେଣ୍ଟ  ସାର୍ବଜନୀନ କରାଯାଇ ପାରିବ । କିନ୍ତୁ ସିସିଟିଭି ଫୁଟେଜ, ୱେବକାଷ୍ଟିଂ ଫୁଟେଜ, ଆଦର୍ଶ ଆଚରଣ ବିଧି ସମୟରେ ପ୍ରାର୍ଥୀଙ୍କ ଭିଡିଓ ରେକର୍ଡିଂକୁ ଏଥିରୁ ବର୍ତ୍ତମାନ ବାଦ୍ ଦିଆଯାଇଛି ।

ପଞ୍ଜାବ ହରିୟାଣା ହାଇକୋର୍ଟରେ ଦାଏର ଏକ ମାମଲା ପରେ ଏହି ନିୟମ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି । ମାମଲା କରିଥିବା ଜଣେ ଓକିଲଙ୍କୁ ହରିୟାଣା ବିଧାନସଭା ନିର୍ବାଚନ ସଂପର୍କିତ ସବୁ ତଥ୍ୟ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କଂଗ୍ରେସର ଜୟରାମ ରମେଶ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ।