ଶନିବାର ଆସାମରେ ୪୭ ଏବଂ ପଶ୍ଚିମବଙ୍ଗରେ ୩୦ଟି ଆସନ ପାଇଁ ଲଢ଼େଇ

1 min read

ନୂଆଦିଲ୍ଲୀ: ଧୁ ଧୁ ଖରା, ବାକଯୁଦ୍ଧ ଆରୋପ ପ୍ରତ୍ୟାରୋପର ପ୍ରଥମ ପର୍ବ ସରିଛି। ଆସନ୍ତା ୨୭ରେ ଦୁଇଟି ରାଜ୍ୟ ପାଇଁ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ଆଜି ଦେଖିବାକୁ ମିଳିଥିଲା ସରଗରମ ପ୍ରଚାର। ପଶ୍ଚିମବଙ୍ଗ ଓ ଆସାମରେ ଜୋରଦାର ପ୍ରଚାର କରିଛନ୍ତି ପ୍ରମୁଖ ରାଜନୈତିକ ଦଳ ଓ ପ୍ରାର୍ଥୀ। କାହା ସମର୍ଥନରେ ଯିବ ମତ ତାକୁ ନେଇ ଏବେଠୁ ଆରମ୍ଭ ହୋଇଗଲାଣି ଅଙ୍କକଷା।

ପଶ୍ଚିମବଙ୍ଗରେ ୩୦ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ପଶ୍ଚିମ ମେଦିନାପୁର ପାର୍ଟ-୧, ପୂ୍ର୍ବ ମେଦିନାପୁର ପାର୍ଟ-୧, ବାଙ୍କୁରା, ଝାରଗ୍ରାମ ଓ ପୁରୁଲିଆର ୩୦ଟି ଆସନରେ ମତଦାନ ହେବ। ୧୯୧ ଜଣ ପ୍ରାର୍ଥୀଙ୍କର ପ୍ରଥମ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ହେବ। ଏଥିରେ ୧୭୦ ଜଣ ପୁରୁଷ ପ୍ରାର୍ଥୀ ଥିବା ବେଳେ ୨୧ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଏଥିସହ ୪୮ ଜଣଙ୍କ ପ୍ରାର୍ଥୀଙ୍କ ଉପରେ ଅପରାଧୀକ ମାମଲା ମଧ୍ୟ ଚାଲିଛି। ପ୍ରାର୍ଥିପତ୍ର ଦାଖଲ ବେଳେ ୨୫ ଜଣ ନିଜ ଉପରେ ଚାଲିଥିବା ମାମଲାକୁ ନେଇ ମଧ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରିଥିଲେ। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ମଧ୍ୟ ଅଧିକାଂଶ କୋଟିପତି ମଧ୍ୟ ଅଛନ୍ତି। ଆଜି ପ୍ରଚାରର ଶେଷ ଦିନ ଥିବାରୁ ମମତା ବାନାର୍ଜୀ ଓ ଅମିତ ଶାହା କାଦୁଅଫିଙ୍ଗା ପ୍ରଚାର କରିଛନ୍ତି।

ଆସାମରେ ମଧ୍ୟ ପ୍ରଚାର ଶେଷ ଦିନ ଥିବାରୁ ସବୁ ରାଜନୈତିକ ଦଳ ଜନତାଙ୍କ ମନ କିଣିବା ପାଇଁ କଳ ବଳ କୌଶଳ ଲଗାଇଦେଇଛନ୍ତି ନେତା ଓ ପ୍ରାର୍ଥୀ। ପ୍ରଥମ ପର୍ଯ୍ୟାୟରେ ଏଠାରେ ୪୭ଟି ଆସନ ପାଇଁ ମତଦାନ ହେବ। ଏଥିମଧ୍ୟରୁ ୮ଟି ଆସନରେ ଅନୁସୂଚିତ ଜାତି ଓ ଜନଜାତି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରଙ୍କ ମୁଖ୍ୟ ଭୂମିକା ରହିବ। ନେପାଳୀ, ଓ ବେଙ୍ଗଲୀ ଭାଷାଭାଷୀ ଲୋକଙ୍କ ମଧ୍ୟ ଏଥର ଆସାମ ମତଦାନରେ ରହିବ ଭୂମିକା। ୧୨ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ଏଥିପାଇଁ ୨୬୭ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। କୋଭି଼ଡ କଟକଣା ପାଇଁ ଏଥର ୧୧ ହଜାର ୫୩୭ଟି ମତଦାନ କେନ୍ଦ୍ରରେ ମତଦାନ ହେବ।

ପଶ୍ଚିମବଙ୍ଗରେ ୨୯୪ଟି ଆସନ ପାଇଁ ୮ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ଆସାମରେ ୧୨୬ଟି ଆସନ ପାଇଁ ୩ଟି ପର୍ଯ୍ୟାୟରେ ମତଦାନ ହେବ। ମେ ୨ରେ ଅନ୍ୟରାଜ୍ୟ ସହ ଏଠାରେ ମଧ୍ୟ ଫଳ ପ୍ରକାଶ ପାଇବ।

Leave a Reply