ବିଜେଡି ପ୍ରଶ୍ନର ଏଯାଏଁ ମିଳିଲାନି ଉତ୍ତର, ହାଇକୋର୍ଟକୁ ଯିବ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ଭୋଟିଂ ଓ ଗଣତିରେ ହୋଇଛି ତ୍ରୁଟି । ନିର୍ବାଚନ କମିଶନଙ୍କୁ ବାରମ୍ବାର ୧୭ସି ଫର୍ମ ମାଗିଲେ ମିଳିଲାନି । ମିଳିଲାନି କୌଣସି ସନ୍ତୋଷଜନକ ଉତ୍ତର । ଏଣିକି ନିର୍ବାଚନ କମିସନଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବ ବିଜୁ ଜନତା ଦଳ । ସେପଟେ କଂଗ୍ରେସ ଏ ଦିଗରେ ଯେଉଁ ତମ୍ବିତୋଫାନ କରୁଛି । ଆଠ ମାସ ପୂର୍ବରୁ ବିଜେଡି ସମାନ ପ୍ରସଙ୍ଗରେ ଦାବି କରିଥିବା କହିଛି । ଇସିଆଇଙ୍କ ନିରପେକ୍ଷତାକୁ ନେଇ ଦଳ ପ୍ରଶ୍ନ କରିଛି ।

୮ ମାସ ତଳୁ ଯାହା ବିଜେଡି କହିଥିଲା, ତାକୁ ଦୋହରାଉଛି କଂଗ୍ରେସ । ୨୦୨୪ ନିର୍ବାଚନରେ ଭୋଟିଂ ଓ ଗଣତିରେ ତ୍ରୁଟି ହୋଇଥିଲା । ଏ ନେଇ ବିଜୁ ଜନତା ଦଳ ଗତବର୍ଷ ଡିସେମ୍ବର ୧୯ ତାରିଖରେ ଭାରତୀୟ ନିର୍ବାଚନ କମିସନଙ୍କୁ ଭେଟି ଅଭିଯୋଗ କରିଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ନିର୍ବାଚନ କମିସନଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିଲାନି । ଏବେ ବିଜେଡି ନିର୍ବାଚନ କମିସନଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ନିଷ୍ପତ୍ତି ନେଇଛି । ସନ୍ଧ୍ୟା ୫ଟା ଯାଏଁ ଭୋଟ ଥିଲା । ଯେଉଁମାନେ ମତଦାନ କେନ୍ଦ୍ର ଭିତରେ ଥିଲେ, ସେମାନେ ରାତି ୧୧ଟା ୪୫ ଯାଏଁ ଭୋଟ ଦେଇଥିଲେ । ସନ୍ଧ୍ୟା ୫ଟା, ୭ଟା ଓ ରାତି ୧୧ଟା ୪୫ ସୁଦ୍ଧା କେତେ ଭୋଟ ହେଲା । ସେସବୁର ତଥ୍ୟ ରହିଛି । ହେଲେ ଦୁଇ ଦିନ ପରେ ଏହି ତଥ୍ୟରେ ଫରକ ରହିଲା । ଏହା ଇଭିଏମ ନା ମନୁଷ୍ୟକୃତ ଭୁଲ । ସେ ନେଇ ବିଜେଡି ପ୍ରଶ୍ନ କରିଥିଲା । ଫର୍ମ ୧୭ସି ବି ମାଗିଥିଲା । ନିୟମ ଅନୁସାରେ ଏହା ଇସିଆଇ ଦେବା କଥା । ଯାହା ଏଯାଏଁ ମିଳିଲା ନାହିଁ ।

ଏବେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସ୍ବର ଉଠାଇବା ପରେ ରାଜ୍ୟ କଂଗ୍ରେସ ସଭାପତି ସମାନ କଥା କହୁଛନ୍ତି । ଇଭିଏମରେ ପଡ଼ିଥିବା ଭୋଟ ଓ ଗଣତିରେ ତାଳମେଳ ନଥିବା ଇସିଆଇଙ୍କ ଓ୍ବେବସାଇଟରୁ ଅନୁଧ୍ୟାନ କରି ବିଜେଡି ଆପତ୍ତି ଉଠାଇଥିଲା । ସଂସଦୀୟ କ୍ଷେତ୍ର ଓ ବିଧାନସଭା ଭୋଟରେ ବି ତାଳମେଳ ନଥିଲା । ୫୦ ପ୍ରତିଶତ ସଂସଦୀୟ କ୍ଷେତ୍ରରେ ୧୫ ପ୍ରତିଶତରୁ ଅଧିକ ତାରତମ୍ୟ ଦେଖାଦେଇଛି । କେନ୍ଦୁଝରରେ ସର୍ବାଧିକ ୩୦ ପ୍ରତିଶତ ସହ ସବୁଠୁ ବେଶୀ ତାରତମ୍ୟ ଥିଲା । ସେଠି ରାତି ୧୧ଟା ୪୫ ପରେ କିପରି ୧୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା ? ଭୋଟର ପରିଚୟପତ୍ର ପ୍ରକାଶ ହେବାଠୁ ଗଣତି ଯାଏଁ ଅଡିଟ କରିବାକୁ ଇସିଆଇଙ୍କୁ ବିଜେଡି ପ୍ରସ୍ତାବ ଦେଇଥିଲା । ହେଲେ ଇସିଆଇଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ଏଯାଏଁ ମିଳିନାହିଁ । ଆବଶ୍ୟକ ପଡ଼ିଲେ, ସୁପ୍ରିମକୋର୍ଟ ଯିବ ବିଜେଡି । ଇସିଆଇଙ୍କ ଏପରି ଆଚରଣ ଯୋଗୁଁ ଲୋକେ ନିର୍ବାଚନ ପ୍ରକ୍ରିୟାରୁ ବିଶ୍ବାସ ହରାଇବା ଆଶଙ୍କା ସୃଷ୍ଟି ହୋଇଛି ।

ଭୋଟିଂ ଓ ଗଣତିରେ ତାରତମ୍ୟ ଲୋକଙ୍କ ମନରେ ସନ୍ଦେହ ଆଣିଛି । ନିୟମ ଅନୁସାରେ ସବୁ ତଥ୍ୟ ନିର୍ବାଚନ କମିସନ ଦେବା କଥା । ହେଲେ ସୂଚନା ଅଧିକାରୀ ଆଇନ ଆଧାରରେ ମାଗିବା ପରେ ବି ଇସିଆଇ ତଥ୍ୟ ଦେଇ ନଥିବା ଅଭିଯୋଗ କରିଛି ବିଜେଡି । ଯାଜପୁର ସଂସଦୀୟ କ୍ଷେତ୍ରରେ ୧୫୮୭ ଭୋଟ ବ୍ୟବଧାନ ଅଛି । ସେହିପରି ୬୭୭ଟି ହେଉଛି ବିଧାନସଭା ଭୋଟ ବ୍ୟବଧାନ । ଯାହାର ସ୍ପଷ୍ଟୀକରଣ ଏଯାଏଁ ମିଳିନି । ଓଡ଼ିଶାବାସୀଙ୍କ ମନର ସନ୍ଦେହ ଦୂର କରିବାକୁ ବିଜେଡି ବାରମ୍ବାର ଇସିଆଇଙ୍କ ଦ୍ବାରସ୍ଥ ହୋଇଛି ।

ନିର୍ବାଚନ କମିସନଙ୍କ ସ୍ବଚ୍ଛତା ଓ ନିରପେକ୍ଷତା ନେଇ ସାରାଦେଶରେ ଏବେ ବିରୋଧୀଙ୍କ ଗର୍ଜନ । ଓଡ଼ିଶାରେ ବି ବିରୋଧୀ ସ୍ବର ଉଠାଇଛନ୍ତି । ହେଲେ ନିର୍ବାଚନ କମିସନଙ୍କ ନୀରବତା ଅନେକ ବିବାଦୀୟ ପ୍ରଶ୍ନ ଆଡ଼କୁ ଇଙ୍ଗିତ କରୁଛି ।