ଆଜିଠୁ କମ୍ପିବ ଧାମନଗର, ପ୍ରାର୍ଥୀପତ୍ର ଦାଖଲ ପରେ ପ୍ରଚାର ଆରମ୍ଭ

ଭଦ୍ରକ: ଧାମନଗରରେ ବଢୁଛି ରାଜନୈତିକ ପାରା  । ପ୍ରାର୍ଥିପତ୍ର ଦାଖଲ ସରିବା ପରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ପ୍ରଚାର  । ପ୍ରଚାର ମଇଦାନରେ ୩ ପ୍ରମୁଖ ଦଳର ପ୍ରାର୍ଥୀ । ଗତକାଲି ନାମାଙ୍କନର ଶେଷଦିନରେ ପ୍ରାର୍ଥିପତ୍ର ଦାଖଲ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ୍  ।

ଦଳ କିପରି ବଡ଼ ବ୍ୟବଧାନରେ ବିଜୟୀ ହେବ ସେନେଇ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ  । ୨୫ହଜାରରୁ ଅଧିକ ଭୋଟରେ ଜିତିବାକୁ ହୋଇଛି ବ୍ଲୁପ୍ରିଣ୍ଟ  । ଘରକୁ ଘର ବୁଲି ଭୋଟ ମାଗିବେ ବିଜେଡି ନେତା ଆଉ କର୍ମୀ  । ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ଓ ବିକାଶ ସମ୍ପର୍କରେ କହି ଭୋଟ ମାଗିବ ବିଜେଡି  ।

ଏପଟେ ମଇଦାନରେ ପ୍ରଚାର ଚଳାଇଛନ୍ତି ବିଜେପି ଓ କଂଗ୍ରେସ  । ଘରଘର ବୁଲି ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ପ୍ରାର୍ଥୀ  । ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି ଆସନ୍ତା ୧୭ । ଏହାପରେ ମଇଦାନରେ କେତେ ପ୍ରାର୍ଥୀ ରହିଲେ ସ୍ପଷ୍ଟ ହେବ ।

ନଭେମ୍ବର ୩ରେ ନିର୍ବାଚନ ହେବାକୁ ଥିବାବେଳେ ନଭେମ୍ବର ୬ରେ ଭୋଟ ଗଣତି ହେବ।