ଗୀତରେ ଗୀତରେ ନିର୍ବାଚନ ପ୍ରଚାର, ରେକର୍ଡ଼ିଂ ଷ୍ଟୁଡିଓରେ ଲାଗିଛି ଗହଳି
ବାଲେଶ୍ବର: ଜମି ଆସିଲାଣି ନିର୍ବାଚନ ପ୍ରଚାର । ବାଲେଶ୍ବରରେ ଶେଷ ପର୍ଯ୍ଯାୟରେ ଭୋଟିଂ । ହାତରେ ଆଉ ୧୫ ଦିନ ଥିବାରୁ ଭୋଟରଙ୍କ ନିକଟତର ହେବାକୁ ଜୋରଦାର ଉଦ୍ଯମ ଚଳାଇଛନ୍ତି ପ୍ରାର୍ଥୀ । ଲୋକଙ୍କ ନିକଟରେ ପହଞ୍ଚିବାକୁ ପ୍ରମୁଖ ମାଧ୍ଯମ ସାଜିଛି ନିର୍ବାଚନ ଗୀତ । ଏଥିପାଇଁ ଏବେ ଗୀତ ରେକର୍ଡ଼ିଂ ଷ୍ଟୁଡ଼ିଓରେ ଲାଗିଛି ଗହଳି । ନିଜ ନିଜର ସଫଳତା ଓ ପ୍ରାର୍ଥୀଙ୍କ ପରଚୟକୁ ନେଇ ବିଭିନ୍ନ ସ୍ବର ଦେଇ ଚାଲିଛି ରେକର୍ଡିଂ ।
ଲୋକଙ୍କ ମନକୁ ଛୁଇଁଲା ପରି ଗୀତର ଚାଲିଛି ରେକର୍ଡିଂ । ବାଲେଶ୍ବରର ବିଭିନ୍ନ ରେକର୍ଡ଼ିଂ ଷ୍ଟୁଡିଓରେ କଳାକାରଙ୍କର ଭିଡ଼ । ନିର୍ବାଚନ ପ୍ରଚାରରେ ଲୋକଙ୍କୁ ନିଜର କଥା କହିବାକୁ ଏବେ ପ୍ରମୁଖ ମାଧ୍ୟମ ପାଲଟିଛି ଏହି ନିର୍ବାଚନୀ ସଂଗୀତ । ଲୋକପ୍ରିୟ ସ୍ବରକୁ ନେଇ ଗୀତ ରଚନା କରୁଛନ୍ତି ଗୀତିକାର । ବିଜେଡି, ବିଜେପି ଓ କଂଗ୍ରେସ ସହ ବିଭିନ୍ନ ଦଳର ଚିହ୍ନ ଓ ପରିଚୟକୁ ନେଇ ପ୍ରସ୍ତୁତ ହୋଇଛି ଗୀତ । ଗଳି ଗଳିରେ ଏହି ଗୀତ ଲୋକଙ୍କ ମନକୁ ଛୁଉଁଛି ।
ଶେଷ ପର୍ଯ୍ଯାୟରେ ବାଲେଶ୍ବରରେ ହେବ ନିର୍ବାଚନ । ହାତରେ ଆଉ ୧୫ ଦିନ ରହିଲା । ଏହି ସ୍ବଳ୍ପ ସମୟ ମଧ୍ୟରେ ଲୋକଙ୍କ ନିକଟତର ହେବାକୁ ସଂଗୀତ ପାଲଟିଛି ପ୍ରମୁଖ ମାଧ୍ଯମ । ସେଥିପାଇଁ କିଏ ଟ୍ରଣ୍ଡିଂ ଗୀତକୁ ପସନ୍ଦ କରୁଛନ୍ତି ତ କିଏ ପାରମ୍ପରିକ ସ୍ବରରେ ଲୋକଙ୍କ ମନ ଜିତିବାକୁ ଚେଷ୍ଟା କରୁଛନ୍ତି । ଦଳର ନିର୍ବାଚନୀ ଇସ୍ତାହାରକୁ ମଧ୍ୟ ସଂଗୀତ ମାଧ୍ଯମରେ ପହଞ୍ଚାଇବାକୁ ପ୍ରୟାସ କରାଯାଉଛି । ଏଥିପାଇଁ ସକାଳରୁ ରାତି ପର୍ଯ୍ୟନ୍ତ ରେକର୍ଡ଼ିଂ ଷ୍ଟୁଡ଼ିଓରେ ଗୀତିକାର, ମ୍ୟୁଜିକ୍ କମ୍ପୋଜର ଓ କଳାକାରମାନେ ବ୍ଯସ୍ତ । ପ୍ରାର୍ଥୀଙ୍କ ବରାଦ୍ ଅନୁସାରେ ସଠିକ୍ ସମୟରେ ସେମାନଙ୍କର ଗୀତ ରେକର୍ଡ଼ିଂ କରି ଯୋଗାଇଦେବାକୁ ଚାଲିଛି ପ୍ରୟାସ ।