ମାଆବାପାଙ୍କୁ ନ ପଚାରିବାରୁ ୪ ପୁଅଙ୍କୁ ପୈତୃକ ସମ୍ପତ୍ତିରୁ ବେଦଖଲ କଲେ କାମାକ୍ଷାନଗର ସିଭିଲ କୋର୍ଟ

ଢେଙ୍କାନାଳ: ବୃଦ୍ଧାକାଳରେ ବାପା ମାଆଙ୍କର ସାହାରା ପାଲଟିଥାଏ ପୁଅ। କିନ୍ତୁ ପୁଅର ମୁଣ୍ଡକୁ ହାତ ପାଇଗଲା ପରେ ସେ ବାପା ମାଆଙ୍କ ମହତ୍ତ୍ୱ ଭୁଲିଯାଏ। ଏମିତି ଏକ ଘଟଣା ଘଟଛି କାମାକ୍ଷାନଗର ଅନ୍ତର୍ଗତ କହ୍ନେଇପାଳ ଗାଁରେ ।  ବାପା, ମାଆଙ୍କୁ ପଚାରିଲେନି ଚାରି ପୁଅ । ଅଭିଯୋଗ ପରେ ପୈତୃକ ସମ୍ପତ୍ତିରୁ ବେଦଖଲ କଲେ କାମାକ୍ଷାନଗର ସିଭିଲ କୋର୍ଟ। ଏହାସହ ପୁଅ, ବୋହୂକୁ ଘରୁ ବାହାରିଯିବା ପାଇଁ ନିର୍ଦ୍ଦେଶ ଦେଲେ ଅଦାଲତ।

ସୂଚନା ଅନୁଯାୟୀ,  କହ୍ନେଇପାଳ ଗାଁ ରେ ରହୁଥିବା ରତ୍ନାକର ସାହୁଙ୍କ ଚାରି ପୁଅ । ତିନିପୁଅ ବାହା ହୋଇ ଅନ୍ୟତ୍ର ରହୁଥିବା ବେଳେ ବୃଦ୍ଧ ରତ୍ନାକର ଓ ତାଙ୍କ ସ୍ତ୍ରୀ, ସାନପୁଅ ଓ ବୋହୂ ପାଖରେ ନିଜ ଗାଁରେ ରହୁଥିଲେ । କିନ୍ତୁ ସାନ ପୁଅ ଓ ବୋହୂ ବାପା ମାଆଙ୍କୁ ଖାଇବାକୁ ନଦେଇ ଘରେ ନିର୍ଯାତନା ଦେଉଥିଲେ । ଯାହା ଫଳରେ ଅତିଷ୍ଠ ହୋଇ ରତ୍ନାକର ଆଇନର ଦ୍ୱାରସ୍ଥ ହୋଇଥିଲେ । ଶେଷରେ କାମାକ୍ଷାନଗର ସିଭିଲ କୋର୍ଟ ଏହି ଘଟଣାର ଶୁଣାଣି କରି ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି  । ବାପା, ମାଆଙ୍କୁ ନପଚାରିବା, ସେମାନଙ୍କର କୌଣସି ପ୍ରକାର ସେବା ଯତ୍ନ ନକରିବା, ସେମାନଙ୍କୁ ଖାଇବାକୁ ନଦେବା ଓ ନିର୍ଯାତନା ଦେବା ଅଭିଯୋଗରେ ଚାରି ପୁଅ ଓ ବୋହୂଙ୍କୁ ବାପାଙ୍କ ସ୍ଵଅର୍ଜିତ ସମ୍ପତ୍ତିରୁ ବେଦଖଲ କରିଛନ୍ତି । ଏହାସହ ପୈତୃକ ଘରୁ ତୁରନ୍ତ ବାହାରିଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।