spot_img

Latest Posts

ଦାମ୍ପତ୍ୟ ପ୍ରେମର ଏକ ଅପୂର୍ବ ନିଦର୍ଶନ ; ସ୍ତ୍ରୀର ଚିକିତ୍ସା ପାଇଁ ୩୦୦ କିମି ଆଣିଲେ ଟ୍ରଲିରେ ଆଣିଲେ ବୃଦ୍ଧ

ସମ୍ବଲପୁର : ଘଟଣା ଗୋଟିଏ। ପରିଣତ ବୟସରେ ଦାମ୍ପତ୍ଯ ପ୍ରେମର ଏକ ଅପୂର୍ବ ନିଦର୍ଶନ। କିନ୍ତୁ କଥା ସେତିକିରେ ସରି ନାହିଁ ଏକ ନିର୍ଜୀବ ବସ୍ତୁ ପ୍ରତି କୃତଜ୍ଞତା ବି ଭରି ରହିଛି, ଭଲ ପାଇବା ଭରି ରହିଛି। ତା ସହିତ ଫେଲ୍ ସରକାରୀ ବ୍ୟବସ୍ଥାକୁ ଉପହାସ କରୁଛି ସେହି ଘଟଣା। କେମିତି ଏହି ଘଟଣାକୁ ବର୍ଣ୍ଣନା କରାଯିବ, ସତରେ ତା ପାଇଁ ଶବ୍ଦର ଅଭାବ ପଡ଼ିଯିବ। କେଉଁ ଦୃଷ୍ଟିରେ ତାକୁ ଦେଖାଯିବ, ଭାବିଲେ ଜଣେ ଅବାକ୍ ହୋଇ ଯିବ। ଘଟଣାଟି ଏମିତି। …

ସମ୍ବଲପୁର ସାକ୍ଷୀପଡ଼ାର ଗରିବ ବୃଦ୍ଧ ବାବୁ ଲୋହାର। ବୟସ ହେଲାଣି ୭୫ ବର୍ଷ। ତାଙ୍କ ସ୍ତ୍ରୀ ଜ୍ୟୋତି ଲୋହାର। ବୟସ ୭୦। ପକ୍ଷାକ୍ଷାତରେ ସେ ପୀଡ଼ିତ ଥିଲେ। ଗରିବ ଲୋକ ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥର ଅଭାବ। ସେଥିରେ ପୁଣି ନେବେ କୁଆଡ଼େ। ସମ୍ବଳ କହିଲେ ଖଣ୍ଡିଏ ଟ୍ରଲି। ସେହି ଟ୍ରଲିରେ ସମ୍ବଲପୁରରୁ କଟକ ପ୍ରାୟ ୩୦୦ କିଲୋମିଟର ନିଜ ସ୍ତ୍ରୀକୁ ଆଣିଥିଲେ ବାବୁ ଲୋହାର। କଟକ ବଡ଼ ମେଡିକାଲରେ ପ୍ରାୟ ୨ ମାସ ରହି ଚିକିତ୍ସିତ ହେବା ପରେ ଟିକେ ଭଲ ହୋଇଥିଲେ ଜ୍ୟୋତି। ତା ପରେ ସେହି ଟ୍ରଲିରେ ଜ୍ୟୋତିଙ୍କୁ ବସାଇ ସମ୍ବଲପୁର ଫେରୁଥିଲେ ବାବୁ ଲୋହାର। ହେଲେ ବିଡ଼ମ୍ଵନା ଦେଖନ୍ତୁ ଚୌଦ୍ଵାର ପାଖରେ ହେଲା ଦୁର୍ଘଟଣା । ଟ୍ରଲିରୁ ପଡ଼ି ଜ୍ୟୋତିଙ୍କ ମୁଣ୍ଡ ଫାଟି ଯାଇଥିଲା। ଚୌଦ୍ଵାରା ଥାନାର ପୋଲିସ ଉଭୟଙ୍କୁ ଉଦ୍ଧାର କରି ଟାଙ୍ଗୀ ହସପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ବାବୁ ନିଜର ଟ୍ରଲିକୁ ଛାଡ଼ି ନଥିଲେ। ବସ୍ ରେ ଉଭୟଙ୍କୁ ସମ୍ଵଲପୁର ପଠାଇବାର ବ୍ୟବସ୍ଥା କରିବାକୁ କହିଥିଲେ ଟାଙ୍ଗୀ ଥାନା ଅଧିକାରୀ। ଜ୍ୟୋତିଙ୍କୁ ଏତେ ବାଟ ଟ୍ରଲିରେ ଯିବା କଷ୍ଟସାଧ୍ୟ ଓ ବିପଦପୂର୍ଣ୍ଣ ବୋଲି ବାବୁଙ୍କୁ ବୁଝାଇଥିଲେ ଥାନା ଅଧିକାରୀ। କିନ୍ତୁ ବାବୁଙ୍କ ଏକା ଜିଦ୍ – ଜ୍ୟୋତି କିମ୍ଵା ଟ୍ରଲି, କାହାକୁ ସେ ଛାଡ଼ି ପାରିବେ ନାହିଁ। ଉଭୟ ଅମୂଲ୍ୟ ମୋ ପାଇଁ। ଶେଷରେ ଥାନା ଅଧିକାରୀ ବାଧ୍ୟ ହୋଇ ଟ୍ରଲି ସଜାଡ଼ିବା ପାଇଁ କିଛି ଆର୍ଥିକ ସାହାଯ୍ୟ ଦେଇଥିଲେ। ଏହା ପରେ ପୁଣି ସେହି ଟ୍ରଲିରେ ସ୍ତ୍ରୀ ଜ୍ୟୋତିକୁ ବସେଇ ବାବୁ ବାହାରି ପଡ଼ିଥିଲେ ସମ୍ବଲପୁର।

ଆପଣ ଏହାକୁ ଦାମ୍ପତ୍ୟ ପ୍ରେମର ଅପୂର୍ବ ନିଦର୍ଶନ ତ ନିଶ୍ଚୟ କରିପାରିବେ। ତା ସହିତ ଟ୍ରଲି ପ୍ରତି ବାବୁଙ୍କ ଯେଉଁ କୃତଜ୍ଞତା, ତାହା ବି ମାନିବାକୁ ପଡ଼ିବ। ତେବେ ଏହି ବୟସ୍କ ଦମ୍ପତ୍ତିଙ୍କ ଘଟଣା ଦେଖିଲେ, ଶୁଣିଲେ ସରକାରୀ ବ୍ୟବସ୍ଥାକୁ ଧିକ୍କାର କରିବାକୁ ଇଚ୍ଛା ହେବ ନିଶ୍ଚୟ। କୁଆଡ଼େ ଗଲା ସରକାରଙ୍କର ଏତେ ଏତେ ଯୋଜନା। କାହିଁକି ପ୍ରଶାସନ ଏମାନଙ୍କ ପାଖରେ ପହଞ୍ଚି ପାରିଲା ନାହିଁ। ୭୫ ବର୍ଷର ବୃଦ୍ଧଙ୍କୁ ଟ୍ରଲିରେ ସ୍ତ୍ରୀଙ୍କୁ ନେଇ କଟକ ଆସିବାକୁ ପଡ଼ିଲା, ଚିକିତ୍ସା କରାଇବା ପାଇଁ। ମାଗଣା ଆମ୍ବୁଲାସସ କାହିଁ, ପ୍ରଶାସନ କାହିଁ, ସ୍ଥାନୀୟ ଜନ ପ୍ରତିନିଧି କୁଆଡ଼େ ଗଲେ। … ବାବୁ ଲୋହାରଙ୍କ ଦେଖି ଏହି ସବୁ ପ୍ରଶ୍ନ ଉଙ୍କି ମାରୁଛି।

Latest Posts

Don't Miss