ବଡ଼ ଭାଇର ଛାତଘର ଦେଖି ସହି ପାରିଲାନି ସାନ ଭାଇ, ପିଟି ପିଟି ମାରିଦେଲା

ରିବା: ମଧ୍ୟପ୍ରଦେଶର ରିବାରେ  ଛାତଘର ତିଆରି କରିବାରୁ ଜଣକ ଜୀବନ ଯାଇଛି । ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ଘଟଣା ଘଟିଛି ଗୋଟିଏ ପରିବାରରେ । ତାହା ପଛର କାରଣ ମଧ୍ୟ ଇର୍ଷା । ଭାଇ ଭାଇର ଜୀବନ ନେଇଛି । ବଡ଼ ଭାଇର ଶତ୍ରୁ ହୋଇଯାଇଛି ସାନଭାଇ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଦ୍ୱାରା ଘର ତିଆରି କରିବା ବିବାଦକୁ ନେଇ ଦୁଇ ସାନ ଭାଇ ବଡ଼ ଭାଇକୁ ପିଟି ପିଟି ମାରି ଦେଇଛନ୍ତି ।  ପୁଲିସ୍‌ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ।

ମାମଲା ଗଢ଼ ଥାନା ଅଞ୍ଚଳର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ କରିବାକୁ ମୁନ୍ନିଲାଲ ସାକେତଙ୍କୁ ସୁଯୋଗ ମିଳିଲା । ମୁନ୍ନିଲାଲଙ୍କ ଖୁସି ତ କହିଲେ ନ ସରେ । କିନ୍ତୁ କିଏ ଜାଣିଥିଲାଯେ, ତାଙ୍କର ଏହି ଖୁସି ତାଙ୍କ ମୃତ୍ୟୁର କାରଣ ପାଲଟିଯିବ । ମୁନ୍ନିଲାଲଙ୍କ ଦୁଇ ସାନ ଭାଇ ଏହାକୁ ନେଇ ଝଗଡ଼ା କଲେ । ତିନିଜଣଙ୍କ ମଧ୍ୟରେ କଳହ ଲାଗି ରହିଲା ।  ମାମଲା କୋର୍ଟ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଗଲା ।  କିନ୍ତୁ ବିବାଦ କମିବା ପରିବର୍ତ୍ତେ ବଢ଼ିଗଲା । ୩ ଅପ୍ରେଲରେ ତିନି ଭାଇଙ୍କ ମଧ୍ୟ ଖୁବ୍‌ କଳହ ହେଲା । ଦୁଇ ସାନ ଭାଇ ମିଶି ବଡ଼ ଭାଇକୁ ଖୁବ୍‌ ମାରପିଟ୍‌ କଲେ ।  ଠେଙ୍ଗା ଓ ବାଡ଼ିରେ ଖୁବ୍‌ ମାଡ଼ ମାରି ମୁନ୍ନିଙ୍କୁ କ୍ଷେତାକ୍ତ କରିଦେଲେ । ହାଡ଼ ମଧ୍ୟ ଭାଙ୍ଗିଦେଲେ ।  ଯାହାପରେ ମୁନ୍ନିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଗଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବାରୁ ପରିବାର ଲୋକ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କଲେ । କିନ୍ତୁ ସେଠାରେ ମଧ୍ୟ କୌଣସି ସୁଧାର ନଆସିବାରୁ ମୁନ୍ନିଲାଲଙ୍କୁ ପ୍ରୟାଗରାଜ ନେଇଗଲେ ପରିବାର ସଦସ୍ୟ । ଦୁଃଖର ବିଷୟ ସେଠାରେ ମୁନ୍ନିଲାଲ ଆଖି ବୁଜିଦେଲେ ।